Wed. Aug 19th, 2026

ଜନ୍ମରୁ ଗୁପ୍ତାଙ୍ଗ ନାହିଁ, ଅନବରତ ହେଉଛି ପରିଶ୍ରା

185 Views

ନବରଙ୍ଗପୁର: ଅଭିଶପ୍ତ ପାଲଟିଛି ଶୈଶବ। ଆଖିରେ ଆଖିଏ ସ୍ଯପ୍ନ। ହେଲେ ଅସହାୟ ଆଉ ନିରୁପାୟ। ଜନ୍ମରୁ ଗୁପ୍ତାଙ୍ଗ ନାହିଁ। ଅସହ୍ୟ ଯନ୍ତ୍ରଣା ଭୋଗୁଛିି ନାବାଳକ। ଅନବରତ ପରିଶ୍ରା ବାହାରୁଛି। ଗୁପ୍ତାଙ୍ଗ ନଥିବାରୁ ବହୁତ କଷ୍ଟ ପାଉଛନ୍ତି ୧୨ ବର୍ଷର ନାବାଳକ। ନାଁ ସ୍କୁଲ ଯାଇପାରୁଛି ନାଁ ଅଛନ୍ତି ସାଙ୍ଗସାଥୀ। ଚିକିତ୍ସା ପାଇଁ ପରିବାର ଲୋକ ପାଣି ପରି ଟଙ୍କା ଖର୍ଚ୍ଚ କରିସାରିଲେଣି, ତଥାପି ଯମ ଯନ୍ତ୍ରଣା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ମାଲିଗୁଡ଼ା ଗାଁର ସନ୍ତୋଷ ରଜକ। ଉପଯୁକ୍ତ ଚିକିତ୍ସା କଲେ ସୁସ୍ଥ ହେବାର ଅନେକ ସମ୍ଭାବନା ରହିଛି, ହେଲେ ସମ୍ବଳ ନଥିବାରୁ ତାଙ୍କର ଚିକିତ୍ସା ହୋଇପାରୁନି।

ଆଜିକୁ ୧୨ ବର୍ଷ ପୂର୍ବେ ପୁଅ ଜନ୍ମ ପରେ ଖୁସିରେ ହସି ଉଠିଥିଲା ପରିବାର। ହେଲେ ଜନ୍ମରୁ ପୁଅର ଗୁପ୍ତାଙ୍କ ନଥିବା ଜାଣିବା ପରେ ଦୁଃଖର ବାଦଳ ଘୋଟିଯାଇଥିଲା। ଗରିବ ପରିବାରର ହୋଇଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରିଲା ନାହିଁ। ଦିନେ ନୁହେଁ ମାସେ ନୁହେଁ ଦୀର୍ଘ ୧୨ ବର୍ଷ ଧରି କଷ୍ଟ ପାଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ମାଳିଗୁଡ଼ା ଗାଁର ମଧୁ ରଜକଙ୍କ ପରିବାର। ପୁଅ ସନ୍ତୋଷ ରଜକଙ୍କ ପାଇଁ ଅସହ୍ୟ ହେଉଛି ଜୀବନ ଜିଇଁବା। ପରିବାରର ହସ ଲିଭିଛି। ଗୁପ୍ତାଙ୍ଗ ନଥିବାରୁ ପ୍ୟାଣ୍ଟରେ ଏକ ହୋଇଯାଉଛି। ସବୁବେଳେ ଜାମାପଟା ଓଦା। ଲାଜରେ ସ୍କୁଲ ଯାଉ ନାହାନ୍ତି କି ସାଙ୍ଗସାଥୀ ବୋଲି କେହି ନାହିଁ। ତେଣୁ ଅନ୍ୟ ପିଲାଙ୍କ ଭଳି ସେ ସାଧାରଣ ଜୀବନ ବଞ୍ଚି ପାରୁନାହିଁ। ପାଠପଢ଼ା, ଖେଳକୁଦ ସମୟରେ ଘର ବାରଣ୍ଡାରେ ପଡ଼ି ରହିଛନ୍ତି ସନ୍ତୋଷ। ଧାର ଉଧାର କରି ଚିକିତ୍ସା କରାଇଥିଲେ ବି କିଛି ସୁଫଳ ମିଳିନାହିଁ।

ପୁଅର ଅବସ୍ଥା ଦେଖି ବାପା ଦୁଃଖରେ ଭାଙ୍ଗିପଡ଼ିଲେ ବି କିଛି ଉପାୟ ନାହିଁ। କୁଲି ମଜୁରି କରି ପେଟ ପୋଷୁଥିବା ମଧୁ ଅର୍ଥ ଅଭାବରୁ ସନ୍ତୋଷର ଚିକିତ୍ସା କରାଇ ପାରୁନାହାନ୍ତି। ପୂର୍ବରୁ ସରକାରୀ ସହାୟତାରେ ଚିକିତ୍ସା ହୋଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଭଲ ହେଲେନି ସନ୍ତୋଷ। ଅଭିଶପ୍ତ ଜୀବନ କାଟୁଥିବା ସନ୍ତୋଷ ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି। ଅନ୍ୟପଟେ ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଘଟଣା ସମ୍ପର୍କରେ ଅବଗତ ହେବାପରେ ସନ୍ତୋଷଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

By amfnews

Related Post