Sun. Sep 13th, 2026

ଚନ୍ଦ୍ରବାବୁଙ୍କ ଟିଡିପିର ଅବସ୍ଥା କଂଗ୍ରେସ ଭଳି ହେବ: ଶିବରାଜ

285 Views

ଅମରାବତୀ  : ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟି ( ଟିଡିପି) ଆଗାମୀ ଦିନରେ ମୂଳପୋଛ ହୋଇଯିବ। ଆନ୍ଧ୍ରପ୍ରଦେଶ ଗସ୍ତ ଅବସରରେ ଏହା କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଉପସଭାପତି ଶିବରାଜ ସିଂହ ଚୌହ୍ୱାନ୍। ଚନ୍ଦ୍ରବାବୁଙ୍କ ଟିଡିପି ଦଳର ଅନେକ ବିଧାୟକ ଦଳ ଛାଡ଼ି ବିଜେପିରେ ମିଶିବା ପାଇଁ ଆଗ୍ରହୀ ବୋଲି ଶିବରାଜ କହିଛନ୍ତି।
ଚନ୍ଦ୍ରବାବୁ ନିଜ ରାଜ୍ୟର ଲୋକଙ୍କ କଥା ବୁଝିବା ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିବାରେ ବ୍ୟସ୍ତ ରହିଲେ। ସେହିପରି କେନ୍ଦ୍ର ରାଜନୀତିରେ ଅଧିକ ସକ୍ରିୟ ରହିବା ଯୋଗୁ ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲେ। ଯାହାର ଶାସ୍ତି ଲୋକେ ନିର୍ବାଚନରେ ଦେଇଛନ୍ତି ବୋଲି ଶିବରାଜ କହିଛନ୍ତି।
“ବିଜେପି କେବେ ପରିବାରବାଦକୁ ପ୍ରଶୟ ଦେବ ନାହିଁ। ହେଲେ କେନ୍ଦ୍ରରେ କଂଗ୍ରେସ ଭଳି ଏ ରାଜ୍ୟରେ ମଧ୍ୟ ପରିବାରବାଦ ଚାଲିଛି ବୋଲି ଶିବରାଜ କହିଛନ୍ତି। କାରଣ,  ନାଇଡୁଙ୍କ ପରିବାରର ସଦସ୍ୟ ପ୍ରାୟତଃ ରାଜନୀତିରେ ସକ୍ରିୟ ରହିଛନ୍ତି। ଚନ୍ଦ୍ରବାବୁ ସରକାରରେ ତାଙ୍କ ପୁଅ ମଧ୍ୟ ସରକାରରେ ରହିଥିଲେ। କଂଗ୍ରେସ ପରିବାରବାଦକୁ ଅଧିକ ଗୁରୁତ୍ୱ ଦେଉଥିଲା ବୋଲି ଲୋକେ ସେ ଦଳକୁ ଗ୍ରହଣ କଲେ ନାହିଁ।” ଆଗାମୀ ଦିନରେ ଟିଡିପି ମଧ୍ୟ ଅନୁରୂପ ପରିଣାମ ଭୋଗିବ ବୋଲି ଶିବରାଜ କହିଛନ୍ତି।

By amfnews

Related Post