Sat. Jun 13th, 2026

ଘରେ ପଶି ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

221 Views

ଭଦ୍ରକ  :   ଘରେ ଥିଲା ଉତ୍ସବର ମାହୋଲ। ଧୂମଧାମରେ ଚାଲିଥିଲା ଏକୋଇଶା ଭୋଜି। ବନ୍ଧୁବାନ୍ଧବଙ୍କ ସମେତ ସାହି ପଡ଼ିଶାଙ୍କ ଗହଳି ମଧ୍ୟ ଲାଗିଥିଲା। ଏହା ଦେଖି ରାସ୍ତାରେ ଯାଉଥିବା ଜଣେ ଯୁବକ ଘରେ ପଶି ଯାଇଥିଲା ଏବଂ ସମସ୍ତଙ୍କ ଅଲକ୍ଷ୍ୟରେ ଘରର ଜଣେ ନାବାଳିକାଙ୍କୁ ଏକ ରୁମ୍‌କୁ ନେଇଯାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ପୀଡ଼ିତା  ଆଦିବାସୀ ନାବାଳିକାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଛି। ଅଭିଯୁକ୍ତ ଫେରାର ଅଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖରେ ପୀଡ଼ିତାଙ୍କ ପରିବାର ଲୋକେ ଘରର ନବଜାତ ଶିଶୁର ଏକୋଇଶାରେ ବ୍ୟସ୍ତ ଥିଲେ। ଏଥିଯୋଗୁ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗି ରହିଥିଲା। ଏହି ସମୟରେ ଉକ୍ତ ବାଟ ଦେଇ ଯାଉଥିବା ରପେୟା ପଞ୍ଚାୟତର ଜଣେ ଯୁବକ ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ସମ୍ପୃକ୍ତ ନାବାଳିକାଙ୍କୁ ଏକ ରୁମ୍‌କୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ତା’ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ।

ନାବାଳିକା ଜଣକ ଭୟଭୀତ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କିଛି କହି ନଥିଲେ। ହେଲେ ଗତକାଲି ଦେହ ଖରାପ ହେବାରୁ ସେ ସମସ୍ତ କଥା ମା’ଙ୍କୁ କହିଥିଲେ। ଏହାପରେ ବିଳମ୍ୱିତ ରାତିରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post