Fri. Aug 21st, 2026

ଗଗନଯାନ ଅଭିଯାନରେ ୨୦୨୨ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଭାରତ ରୁଷ୍‌ର ସହଯୋଗ ଚାହୁଁଛି

266 Views

ନୂଆଦିଲ୍ଲୀ : ୨୦୨୨ ସୁଦ୍ଧା ମହାକାଶକୁ ଜଣେ ଜଣେ ଭାରତୀୟଙ୍କୁ ପଠାଇବା ଅଭିଯାନ ପୂରଣ କରିବାକୁ ଭାରତ ନିଜର ମହାଶୂନ୍ୟ କାର୍ଯ୍ୟକ୍ରମରେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ରୁଷ୍‌ର ସହଯୋଗ ଚାହୁଁଛି। ସେ ସବୁ ହେଲା- ଲାଇଫ୍‌-ସପୋର୍ଟ ସିଷ୍ଟମ୍‌, କ୍ରୁ ମୋଡ୍ୟୁଲ୍‌ସ୍‌ ଏବଂ ମହାକାଶଚାରୀଙ୍କ ତାଲିମ୍‌ ଇତ୍ୟାଦି।

ସ୍ୱାଧୀନତା ଦିବସ ଭାଷଣରେ ଅଗଷ୍ଟ ୧୫ ତାରିଖ ଦିନ ଲାଲ୍‌ କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ସହ ତାଳ ରଖି ଆଗାମୀ ୪ ବର୍ଷ ମଧ୍ୟରେ ଭାରତ ପ୍ରଥମକରି ମାନବବାହୀ ମହାଶୂନ୍ୟ ଅଭିଯାନ ଗଗନଯାନ ପୂରଣ କରିବାକୁ ଯୋଜନା କରୁଛି। ଭାଷଣରେ ମୋଦି କହିଥିଲେ: ଆମେ ସ୍ଥିର କରିଛୁ ଯେ ୨୦୨୨ ସୁଦ୍ଧା, ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପୂରଣ କରିବା ଅବସରରେ ବା ତା’ ପୂର୍ବରୁ ହାତରେ ତ୍ରିରଙ୍ଗ ଧରି ଭାରତର ଜଣେ ପୁଅ କି, ଝିଅ ମହାଶୂନ୍ୟକୁ ଯିବ।

ଯଦି ଏହି ଅଭିଯାନ ସଫଳ ହୁଏ ମହାଶୂନ୍ୟକୁ ମାନବ ପଠାଇବାରେ ରୁଷ୍‌, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍‌ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର।
ଗତ ୪ ଦଶନ୍ଧି ହେବ ଭାରତର ମହାକାଶ କାର୍ଯ୍ୟକ୍ରମରେ ରୁଷ୍‌ ନିବିଡ଼ ସହଯୋଗୀ ହୋଇ ଆସୁଛି। ଚନ୍ଦ୍ର ଏବଂ ମଙ୍ଗଳ ଅଭିଯାନରେ ମଧ୍ୟ ରୁଷ୍‌ ସହାୟତା କରିଛି। ଭାରତର ପ୍ରଥମ ଦୁଇ କୃତ୍ରିମ ଉପଗ୍ରହ ଆର୍ଯ୍ୟଭଟ୍ଟ ଏବଂ ଭାସ୍କର ଉତ୍‌କ୍ଷେପଣ କରିବାରେ ପୂର୍ବତନ ସୋଭିଏତ୍‌ ସଂଘ ସହଯୋଗ କରିଥିଲା। ୨୦୦୪ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭାରତ ଗସ୍ତ କାଳରେ ଭାରତ ଓ ରୁଷ୍‌ ଦୁଇଟି ମହାକାଶ ସମ୍ବନ୍ଧୀୟ ରାଜିନାମା ସ୍ୱାକ୍ଷର କରିଥିଲେ।

ସପ୍ତାହେ ତଳେ ମସ୍କୋରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ରୁଷିଆର ପ୍ରତିରକ୍ଷା ଏବଂ ମହାକାଶ ଶିଳ୍ପର ଉପ ମୁଖ୍ୟମନ୍ତ୍ରୀ ୟୁରି ବୋରିସୋଭ୍‌ଙ୍କ ବୈଠକରେ ମହାକାଶକୁ ମାନବ ପ୍ରେରଣ କରିବା ଯୋଜନାରେ ଭାରତକୁ ସହଯୋଗ କରିବା ନିମନ୍ତେ କଥା ଉଠିଥିଲା।

By amfnews

Related Post