Thu. Jun 11th, 2026

ଓଲିଉଡର ଲୋକପ୍ରିୟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

289 Views

ଭୁବନେଶ୍ୱର : ଓଲିଉଡର ଜଣାଶୁଣା ନିର୍ମାତା ତଥା ବିତରକ ସୁବାସ ରାଉତଙ୍କର ଆଜି ଭୋର ୪ଟା ସମୟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ପରଲୋକ ଘଟିଯାଇଚି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଶ୍ରୀ ତୁଳସୀ ପିକ୍ଚର୍ସ ବ୍ୟାନରରେ ନିର୍ମିତ ସୁପରହିଟ୍‌ ସିନେମା ‘ସୁନା ଚଢେଇ’ରୁ ଓଡ଼ିଆ ସିନେମା ପ୍ରଯୋଜନାରେ ସକ୍ରିୟ ହୋଇଥିଲେ ସୁବାସ ରାଉତ। ଏହାର ନିର୍ଦ୍ଦେଶନା ଦେଇଥିଲେ ରବି କିନ୍ନାଗୀ।

ତେବେ ସୁବାସ ରାଉତ ୧୯୯୩ରେ ମୁକ୍ତିଲାଭ କରିଥିବା ‘ଭାଗ୍ୟ ହାତେ ଡୋରି’ ସିନେମାରୁ ସ୍ୱାଧୀନ ଭାବେ ପ୍ରଯୋଜକ ବନିଥିଲେ। ସେ ନିଜର ପ୍ରଯୋଜେନା ସଂସ୍ଥା ଶ୍ରୀ ଗଣେଶ ପ୍ରଡକ୍ସନ୍ସ ବ୍ୟାନରରେ ଏହି ସିନେମା ନିର୍ମାଣ କରିଥିଲେ। ଏହି ଓଡ଼ିଆର ସିନେମାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହାର ସଂଳାପ ଲେଖିଥିଲେ ଡ଼ ସୁବୋଧ ପଟ୍ଟନାୟକ। ଏହି ଫିଲ୍ମରେ ମହାଶ୍ୱେତା,ବିଜୟ ମହାନ୍ତି,ଉତ୍ତମ ମହାନ୍ତି,ଋତୁପର୍ଣ୍ଣା ସେନଗୁପ୍ତା,ହର ପଟ୍ଟନାୟକ ଓ ବ୍ୟୋମକେଶ ତ୍ରିପାଠୀ ପ୍ରମୁଖ ଅଭିନୟ କରିଥିଲେ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇ ମଧ୍ୟ ଓଲିଉଡରେ ପ୍ରବେଶ କରିଥିଲେ।
‘ଭାଗ୍ୟ ହାତେ ଡୋରି’ ବ୍ୟାବସାୟିକ ସଫଳତା ହାସଲ କରିବା ପରେ ସୁବାସ ରାଉତ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ତାଙ୍କ ପ୍ରଯୋଜିତ ଅନ୍ୟ ସିନେମାଗୁଡିକହେଲାସୁନାପଞ୍ଜୁରି,ଲକ୍ଷ୍ମଣରେଖା,ଜୀବନସାଥୀ,ରାମଲକ୍ଷ୍ମଣ,ସିଂହବାହିନୀ ଏବଂ ‘ସନ୍ତାନ’। ତାଙ୍କ ପ୍ରଯୋଜିତ ଶେଷ ଓଡ଼ିଆ ଛବି ଥିଲା ‘ସନ୍ତାନ’। ତାଙ୍କ ପ୍ରଯୋଜିତ ସିନେମାଗୁଡିକର ନିର୍ଦ୍ଦେଶନା ହର ପଟ୍ଟନାୟକ,ରବି କିନ୍ନାଗୀ,ମହମ୍ମଦ ମହସୀନ୍‌,ଜ୍ୟୋତି ପ୍ରକାଶ ଓ ରାଜୁ ମିଶ୍ର ପ୍ରମୁଖ ଦେଇଥିଲେ।
ସୁବାସ ରାଉତ ଏହାପରେ ଟେଲିଭିଜନ୍‌ ଦୁନିଆଁରେ ପାଦ ଦେଇଥିଲେ। ତାଙ୍କ ପ୍ରଯୋଜିତ ମେଗା ଧାରାବାହିକ ‘ତୁଳସୀ’(ଇଟିଭି) ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।

ସୁବାସଙ୍କ ପୁଅ ସନ୍ଦୀପ ରାଉତ ମଧ୍ୟ ଜଣେ ଅଭିନେତା ଓ ନିର୍ମାତା। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post