Mon. Aug 24th, 2026

କେହି କାହା ବିନା ରହିପାରିଲେନି : ସ୍ବାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା

205 Views

ଟାଙ୍ଗୀ(ଖୋର୍ଧା)/ନାଚୁଣୀ : ତିନି ବର୍ଷର ଦାମ୍ପତ୍ୟ ଜୀବନ ଏତେ ନିବିଡ଼ ହୋଇପଡ଼ିଥିଲା ଯେ ସ୍ବାମୀଙ୍କର ମୃତ୍ୟୁ ଖବରକୁ ସହଜରେ ସେ ଗ୍ରହଣ କରିପାରିଲେନି। ଏପରିକି କୋଳରେ ବଢୁଥିବା ଏକମାତ୍ର ଶିଶୁପୁତ୍ର ପ୍ରତି ରହିଥିବା ବାତ୍ସଲ୍ୟ ମମତା ମଧ୍ୟ ତାଙ୍କୁ ବାନ୍ଧି ରଖିପାରିଲାନି। ଶେଷରେ ଇହ ଆଉ ପରକାଳରେ ସାଥୀ ହୋଇ ରହିବାର ଶପଥକୁ ଚରିତାର୍ଥ କରିବା ଲାଗି ନିଜେ ଆତ୍ମହତ୍ୟା କରି ବସିଲେ। ଖୋର୍ଧା ଜିଲ୍ଲା ନାଚୁଣୀ ଫାଣ୍ତି ଅଧୀନ ବଡ଼ପଦର ଗ୍ରାମର ମହାଦେବ ଭୋଳ (୨୫)ଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥିବା ଖବର ପାଇ ତାଙ୍କ ପତ୍ନୀ ରେବତୀ(୨୨) ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସାରା ଗ୍ରାମକୁ ଶୋକାକୁଳ କରିଦେଇଛି।

ସୂଚନାନୁଯାୟୀ, ବଡ଼ପଦର ଗ୍ରାମର ଶଙ୍କର ଭୋଳଙ୍କ ପୁଅ ମହାଦେବ ପେସାରେ ଜଣେ ଜେସିବି ଚାଳକ। ତିନିବର୍ଷ ତଳେ ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ଆୟତପୁର ଗ୍ରାମର ବିପ୍ର ପଲାଇଙ୍କ ଝିଅ ରେବତୀଙ୍କୁ ବିବାହ କରିଥିଲେ। ଏବେ ସେମାନଙ୍କର ଏକ ଦେଢ଼ବର୍ଷର ଶିଶୁପୁତ୍ର ରହିଛି। ପେଟପାଟଣା ପାଇଁ ମହାଦେବ ଗାଁରେ ପତ୍ନୀ ଓ ଶିଶୁପୁତ୍ରକୁ ଛାଡ଼ି ସୁଦୂର ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀ ସ୍ଥିତ ବାଦୁସା ବ୍ରେକିଙ୍ଗ ୟୁନିଟରେ ପୋକଲେନ୍ ଚାଳକ ଭାବେ କାର୍ଯ୍ୟ କରୁଥିଲେ।

ତେବେ ଗତ ୭ ତାରିଖରେ ସେଠାରେ ସର୍ପାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ମହାଦେବଙ୍କ ଶଳା ଓ ପରିବାରବର୍ଗ ହାଇଦ୍ରାବାଦ ଯାଇ କମ୍ପାନିଠାରୁ ଶବ ଗ୍ରହଣ କରିଥିଲେ। ତେବେ ମୃତ୍ୟୁ ସନ୍ଦେହଜନକ ମନେକରି ସେମାନେ ସ୍ଥାନୀୟ ପୁଲିସରେ ଅଭିଯୋଗ କରିବାକୁ ଯିବା ବେଳେ କମ୍ପାନି ଗୁଣ୍ତା ମାନଙ୍କର ଆକ୍ରମଣର ଶିକାର ହୋଇଥିଲେ। ଫଳରେ ନିରୁପାୟ ହୋଇ ଶବକୁ ବଡ଼ପଦର ଆଣି ଶନିବାର ସନ୍ଧ୍ୟାରେ ଗ୍ରାମ ଶ୍ମଶାନରେ ଦାହ କରିଥିଲେ। ଅପରପକ୍ଷେ, ସ୍ବାମୀଙ୍କରଏଭଳି ମୃତ୍ୟୁ ଖବର ପାଇ ରେବତୀ ରାତିରେ ନିଜର ଦେଢ଼ବର୍ଷ ପୁଅ ଗଣେଶକୁ କୋଳରେ ଶୁଆଇ ନିଜେ ସିନ୍ଦୁର ଓ ହଳଦୀ ମିଶାଇ ଖାଇଦେଇଥିଲେ। ଆଜି ଭୋର ସମୟରେ ଘରଲୋକ ବୋହୂର ଏଭଳି ଅଭାବନୀୟ ପରିଣତି ସମ୍ପର୍କରେ ଅବଗତ ହେବା ପରେ ରେବତୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୁଲିସ ରେବତୀଙ୍କର ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post