Fri. Jun 12th, 2026

ଏତଲା ନ ରଖିବାରୁ ଏଏସଆଇ ନିଲମ୍ବିତ, ଥାନାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

155 Views

ଢେଙ୍କାନାଳ : ମାସେ ପୂର୍ବେ ଏକ ଘଟଣାରେ ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରୀଙ୍କ ଏତଲା ନ ରଖିବା ଅଭିଯୋଗରେ ନିଲମ୍ବିତ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଏଏସଆଇ ।  ଏହି ଘଟଣାର ତଦନ୍ତ କରି ଢେଙ୍କାନାଳ ଏସ୍‌ପି ଅନୁପମା ଜେମସ କଙ୍କଡ଼ାହାଡ଼ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟିଙ୍କୁ ନିଲମ୍ବନ କରିବା ସହିତ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଅଭିଯୋଗ ଅନୁସାରେ, ପଡ଼ୋଶୀ ଘର ସହ ହୋଇଥିବା ବିବାଦର ସମାଧାନ କରିବାକୁ ଯାଇ ବବିତା କବି ନାମ୍ନୀ ମହିଳା ଆକ୍ରମଣର ଶିକାର ହୋଇଥିଲେ। ଏନେଇ ତାଙ୍କ ସ୍ୱାମୀ ଡିସେମ୍ବର ୧୪ ତାରିଖରେ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥିଲେ। ହେଲେ ଆଇଆଇସିଙ୍କ ଅନୁପସ୍ଥିତିରେ ଏଏସ୍‌ଆଇ  ବବିତାଙ୍କ ଅଭିଯୋଗ ଗ୍ରହଣ କରି ନ ଥିଲେ। ଏ ସମ୍ପର୍କରେ ବୁଝାବୁଝି କରିବାକୁ ମହିଳାଙ୍କ ସମ୍ପର୍କୀୟ ଦିଅର ଜ୍ଞାନ ରଞ୍ଜନ ବେହେରା ଗତ ୭ ତାରିଖରେ  ଥାନାକୁ  ଯାଇଥିଲେ । ତେବେ ସେଠାରେ ତାଙ୍କୁ ମଧ୍ୟ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ଜ୍ଞାନ ରଞ୍ଜନ ବେହେରା  କହିଛନ୍ତି, ସମ୍ପର୍କୀୟ ଭାଉଜଙ୍କୁ ମାଡ଼ ମରାଯାଇଥିବା ସଂକ୍ରାନ୍ତରେ ପୁଲିସ୍‌ କୌଣସି  ଅଭିଯୋଗ ଗ୍ରହଣ ନ କରିବାରୁ ଗତ ୭ ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲୁ। ହେଲେ ସେଠାରେ ଆଇଆଇସି ପ୍ରମୋଦ ଲେଙ୍କା ପୁଣି ଥରେ ଲିଖିତ ଅଭିଯୋଗ ଦେବାକୁ କହିଥିଲେ। ଏହି ଘଟଣାକୁ ରେକର୍ଡିଂ କରୁଥିବା ବେଳେ ଆଇଆଇସି ଗାଳିଗୁଲଜ କରିଥିଲେ। ଏହାପରେ ରାତି ୭ଟାରୁ ୧୧ଟା ପର୍ଯ୍ୟନ୍ତ ଥାନାରେ ଉଲଗ୍ନ କରି ନିର୍ଧୂମ ପିଟିଥିଲେ। ଏହାପରଦିନ ସେ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଚିକିତ୍ସା କରାଇଥିଲେ।

ତା’ପରେ ଏସ୍‌ପି ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ କରି ଏସ୍‌ପି ତୁରନ୍ତ ଏଏସ୍‌ଆଇଙ୍କୁ ନିଲମ୍ବନ କରିଥିବା ବେଳେ ଥାନାଧିକାରୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି।

By amfnews

Related Post