Sat. Jul 4th, 2026

ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଜାରି, ବିପଦ ସଂକେତ ଉପରେ ଜଳକା

162 Views

ରୁପ୍‌ସା/ବାହାର୍ଦା/ଗାନ୍ଧିଛକ : ଉତ୍ତର ଓଡ଼ିଶାରେ ଗତ ୫ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି। ତେବେ ପ୍ରାୟ ସମସ୍ତ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ବେ‌ଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର କିନ୍ତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାପଡ଼ିଛି। ନଦୀର ବିପଦ ସଂକେତ ୫.୫ ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ଏହାର ଜଳସ୍ତର ୬ ମିଟରରେ ପ୍ରବାହିତ ହେଉଛି। ଫଳରେ ମଥାନୀ ପୋଲର ଡାହାଣ ପାର୍ଶ୍ବରେ ଥିବା ଅନେକ ଜମିରେ ପଶିଛି। ଯଦି ବର୍ଷା ଲାଗିରହେ, ତେବେ ନଦୀର ଜଳସ୍ତର ବଢ଼ିବା ସହ ବସ୍ତା ଓ ସଦର ବ୍ଲକ୍‌ ଅଧୀନ ୧୦ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଥିବା ଯୋଗୁ ନଦୀକୂଳବାସୀ ତଥା ଜଳସେଚନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ବିଶେଷ କରି ବାହାର୍ଦା ପଞ୍ଚାୟତ ଶିବଗଡ଼ିଆଠାରେ ପରିସ୍ଥିତି ସଂଗୀନ ରହିଛି।

ଏନେଇ ବସ୍ତା ଜଳସେଚନ ବିଭାଗର ଯନ୍ତ୍ରୀ ଜୟକୃଷ୍ଣ ବହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ବନ୍ୟା ଆଶଙ୍କା କରି ନଦୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବିଭାଗୀୟ କର୍ମଚାରୀଙ୍କୁ ସଜାଗ ରଖାଯାଇଛି। ଏହା ସହିତ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ମଧ୍ୟ ମହଜୁତ ରହିଛି ବୋଲି କହିଛନ୍ତି। ସେହିପରି ବିଡିଓ କୁମୁମିନା ଦାସଙ୍କ ମତାମତ ନେବାରୁ ସେ ବନ୍ୟା ନେଇ ଭୟଭୀତ ହେବାର କିଛି ନାହିଁ ବୋଲି କହିଛନ୍ତି।

By amfnews

Related Post