Mon. Oct 5th, 2026

ଲଗାଣ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ

187 Views

ରାଉରକେଲା : ଦୁଇ ଦିନ ଧରି ଲଗାଣ ବର୍ଷା ସୁନ୍ଦରଗଡ଼ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଇବ୍‌, ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ନଦୀର ଜଳପତ୍ତନ ବଢୁଛି। ଜଳସ୍ତର ବିପଦସଙ୍କୁୁଳ ଚିହ୍ନକୁ ଛୁଇଁ ନଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଆସନ୍ତାକାଲି ସୁଦ୍ଧା ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କା କରାଯାଉଛି। ପ୍ରବଳ ବର୍ଷାରେ ଶଙ୍ଖ ନଦୀରେ ବନ୍ୟାଜଳ ଆସିବାରୁ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁନ୍‌ମେଣ୍ଡ୍ରା ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଗତ ସୋମବାର ଅପରାହ୍‌ଣରୁ ବୁଧବାର ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଦୁଇ ଦିନ ବର୍ଷା ଛାଡ଼ିବା ପରେ ଶନିବାର ଠାରୁ ପୁଣି ବର୍ଷା ହେଉଛି। ଝିପିଝିପି ବର୍ଷା ସହିତ ମଝିରେ ମଝିରେ କିଛି ସମୟ ପାଇଁ ମୂଷଳ ଧାରାରେ ବର୍ଷା ହୋଇଛି। ତେଣୁ ଜିଲ୍ଲାର ସବୁ ନାଳ, ଇବ୍‌, ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ଜଳପତ୍ତନ ବଢୁଛି। ଲଘୁଚାପ ଯୋଗୁଁ ସୁନ୍ଦରଗଡ଼ ଭଳି ଝାଡ଼ଖଣ୍ଡର ଉପରମୁଣ୍ଡରେ ଲଗାଣ ବର୍ଷା ହେଉଛି। ତେଣୁ ଶଙ୍ଖ ଓ କୋଏଲରେ ବନ୍ୟା ଜଳ ଆସିଛି। ଆଜି ସଂଧ୍ୟା ସୁଦ୍ଧା ଏହି ଦୁଇ ନଦୀର ଜଳ ଅନେକ ସ୍ଥାନରେ କୂଳକୁ ଛୁଇଁଛି। ଏଥିଯୋଗୁଁ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁନ୍‌ମେଣ୍ଡ୍ରା ଗ୍ରାମ ଶଙ୍ଖ ନଦୀ ପାଣି ଘେରରେ ରହିଯାଇଛି। ନଦୀର ଅପରପାର୍ଶ୍ବରେ ଥିବା ତରକେରା ଗ୍ରାମରେ ମଧ୍ୟ ପାଣି ପଶିଛି।

ଅନ୍ୟପକ୍ଷରେ, ଶଙ୍ଖ ନଦୀରେ ଜଳପତ୍ତନ ବଢିବାରୁ ମନ୍ଦିରା ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲିଦିଆଯାଇଛି। ତେବେ ରାତି ସୁଦ୍ଧା ଝାଡ଼ଖଣ୍ଡରୁ ଓଡ଼ିଶା ଭିତରକୁ ଶଙ୍ଖ ନଦୀରେ ଅଧିକ ଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ଅନେକ ଗ୍ରାମରେ ପାଣି ପଶିବା ପରିସ୍ଥିତି ସୃଷ୍ଟି ହୋଇଛି।

By amfnews

Related Post