Sat. Apr 25th, 2026

ଆରଏସପି ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ପ୍ରମୁଖ କ୍ଷେତ୍ରଗୁଡିକରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ

182 Views

ରାଉରକେଲା, ୫ା୧୦  : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସମସ୍ତ ପ୍ରମୁଖ କ୍ଷେତ୍ର ଗୁଡିକରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି । ଇସ୍ପାତ କାରଖାନା ୨୦୧୮ ଅପ୍ରେଲରୁ ସେପ୍ଟମ୍ବର ମାସ ମଧ୍ୟରେ ୧୮୬୭୬୧୬ ଟନ ଉତ୍ତପ୍ତ ଧାତୁ, ୧୭୭୧୩୦୮ ଟନ ଅଶୋଧିତ ଇସ୍ପାତ ଏବଂ ୧୫୮୪୬୫୦ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଏହି ସମସ୍ତ ତିନିଟି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସଙ୍ଗେ ସଙ୍ଗେ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ଯଥାକ୍ରମେ ୧୯.୩%, ୧୭.୩% ଓ ୧୨.୩% ଅଭିବୃଦ୍ଧି ହାସଲ କରିଛି ।

ସେହିଭଳି ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ କାରଖାନାରେ ସମୁଦାୟ ୨୯୯୭୦୯୧ ଟନ ସିଣ୍ଟର ଉତ୍ପାଦନ ଏବଂ ହାରାହାରି ଦୈନିକ ୮୭.୭ ପୁସିଙ୍ଗ ସହିତ ସିଣ୍ଟେର ପ୍ଲାଣ୍ଟ ଓ କୋକ ଓଭେନ ବ୍ୟାଟେରୀ-୬ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛନ୍ତି । ଏହି କ୍ରମରେ ଅନେକ ଡାଉନଷ୍ଟ୍ରିମ ମିଲ ଗୁଡିକ ମଧ୍ୟ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ସେମାନଙ୍କର ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛନ୍ତି ।

ଆଲୋଚ୍ୟ ଅବଧିରେ ପ୍ଲେଟ ମିଲ ୨୩୦୫୦୬ ଟନ ପ୍ଲେଟ ଉତ୍ପାଦନ କରିଥିବାବେଳେ ନୂତନ ପ୍ଲେଟ ମିଲ ସର୍ବକାଳୀନ ଶ୍ରେଷ୍ଠ ୪୦୮୭୨୨ ଟନ ପ୍ଲେଟ, ଇଆରଡବ୍ଲୁ ପାଇପ ପ୍ଲାଣ୍ଟ ୨୧୨୧୬ ଟନ ଇଆରଡବ୍ଲୁ ପାଇପ ଏବଂ ଏସଡବ୍ଲୁ ପାଇପ ପ୍ଲାଣ୍ଟ ୧୩୫୭୧ ଟନ ସ୍ପାଇରାଲ ୱେଲ୍ଡ ପାଇପ ଉତ୍ପାଦନ କରିଥିଲେ ଏବଂ ସିଲିକନ ଷ୍ଟିଲ ମିଲ ୨୦୬୮୩ ଟନ ସିଲିକନ ଷ୍ଟିଲ ସିଟ ଉତ୍ପାଦନ ହାସଲ କରିଛି । ଏହିସବୁର ଫଳସ୍ୱରୂପ ବିକ୍ରିଯୋଗ୍ୟ ଇସ୍ପାତ ଚାଲାଣ ସର୍ବକାଳୀନ ଶ୍ରେଷ୍ଠ ୧୬୨୭୨୬୮ ଟନ ହାସଲ ହୋଇପାରିଛି ।

By amfnews

Related Post