Sun. Apr 26th, 2026

ଆମେରିକାରେ ‘ଓସା’ର ବାର୍ଷିକ ସମ୍ମିଳନୀ ଏବଂ ଓଡ଼ିଆ ପୁସ୍ତକ ଉନ୍ମୋଚନ

214 Views

ଭୁବନେଶ୍ୱର  : ଆମେରିକାର ନ୍ୟୁଜର୍ସି ରାଜ୍ୟର ଆଟଲାଣ୍ଟିକ୍‌ ସିଟିରେ ପ୍ରବାସୀ ଓଡ଼ିଆ ସଙ୍ଗଠନ (ଓସା) ୫୦ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ଡ.ଭଗବାନ ପ୍ରକାଶ ଯୋଗ ଦେଇଥିଲେ।  ୩ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ସମାରୋହରେ ଆମେରିକା ଏବଂ କାନାଡ଼ାରେ ରହୁଥିବା ୧ ହଜାର ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ।

ଏହି ଅବସରରେ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ନୃତ୍ୟ, ସଂଗୀତ, ନାଟକ ସହ ଓଡ଼ିଆ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କାରାଯାଇଥିଲା। ସାହିତ୍ୟ ମଞ୍ଚ  କାର୍ଯ୍ୟକ୍ରମରେ ଆମେରିକାର ଓଡ଼ିଆମାନେ ନିଜର ପ୍ରକାଶିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ୩୦ ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡ. ବିଜ୍ଞାନୀ ଦାସ, ଡ. ଗଗନ ପାଣିଗ୍ରାହୀ ଓ ପ୍ରଶାନ୍ତ କୁମାର ଭୂୟାଁ ପରିଚାଳନା କରିଥିଲେ। ଏହି ଅବସରରେ ଆମେରିକାର ଓଡ଼ିଆ ପ୍ରକାଶନୀ ସଂସ୍ଥା ‘ବ୍ଲାକ୍‌ ଇଗଲ୍‌ ବୁକ୍ସ’ ତରଫରୁ କିଛି ଓଡ଼ିଆ ପୁସ୍ତକ ପ୍ରଦର୍ଶନ କରାଯାଇଥିଲା।

ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରଦର୍ଶିତ ହୋଇଥିଲା। ଏତଦ୍‌ବ୍ୟତୀତ ‘ବ୍ଲାକ୍‌ ଇଗଲ୍‌ ବୁକ୍ସ’ ଦ୍ୱାରା ପ୍ରକାଶିତ ମାୟାଧର ମାନସିଂହଙ୍କ ‘ଧୂପ’ର ପୁନଃ ସଂସ୍କରଣ, ଗୌରହରି ଦାସଙ୍କ ‘ବିଦେଶ’, ଆଦ୍ୟାଶା ଦାସଙ୍କ ‘ଚଉଷଠୀ ଯୋଗିନୀ’ ଏବଂ ଯୁବ ଲେଖକ ହରିହର ପଣ୍ଡାଙ୍କ ‘ଜଗନ୍ନାଥ ରାଷ୍ଟ୍ରନୀତି ନାଭିବ୍ରହ୍ମ’ ଲୋକାର୍ପଣ କରାଯାଇଥିଲା। ଓଡ଼ିଆ ପୁସ୍ତକକୁ ବିଶ୍ୱବ୍ୟାପୀ କରାଇବା ‘ବ୍ଲାକ୍‌ ଇଗଲ୍‌ ବୁକ୍ସ’ର ଲକ୍ଷ୍ୟ ବୋଲି ଏହାର ପ୍ରତିଷ୍ଠାତା  ସତ୍ୟ ପଟ୍ଟନାୟକ ପ୍ରକାଶ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକାଶନ ସଂସ୍ଥା ଦ୍ୱାରା କବି  ଭଗବାନ ଜୟସିଂହଙ୍କ ଇଂରାଜୀ କବିତା ସଙ୍କଳନ ‘ଦି ଡାପଲ୍‌ସ ଅଫ୍‌ ଡାର୍କନେସ୍‌’ ଆମେରିକାର କଲମ୍ବସ୍‌ ମେଟ୍ରୋପଲିଟାନ୍‌ ଲାଇବ୍ରେରୀରେ ସ୍ଥାନ ପାଇଛି।

By amfnews

Related Post