Sun. Sep 27th, 2026

ଆଖି ବୁଜିଲେ ପୁଞ୍ଜିଲାଲଙ୍କ ମା’, ପାରୋଲ ପାଇଁ କରିବେ ଆବେଦନ

209 Views

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲ୍‌ରେ ଥିବା ବେଳେ ଗତକାଲି ଆଖି ବୁଜିଛନ୍ତି ତାଙ୍କ ମା’। ରୋଗାଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂର୍ବାହ୍ନ ୧୧ ଟାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମା’ଙ୍କୁ ମୁଖାଗ୍ନି ଦେବା ସହିତ ଶବ ସତ୍କାର କରିବା ପାଇଁ ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ପାରୋଲ ପାଇଁ ଆବେଦନ କରିବେ ପୁଞ୍ଜିଲାଲ। ଗତକାଲିଠାରୁ ପୁଞ୍ଜିଲାଲଙ୍କ ମା’ଙ୍କ ଶବକୁ ବଲାଙ୍ଗିର ପୋଷ୍ଟମୋର୍ଟମ ୱାର୍ଡରେ ରଖାଯାଇଛି।

ସୂଚନାଯୋଗ୍ୟ, ପାଟଣାଗଡ଼ ଭୋଳାନାଥପଡ଼ାରେ ପାର୍ସଲ ବୋମା ବିସ୍ପୋରଣ ଘଟି ଇଂଜିନିୟର ସୌମ୍ୟଶେଖର ସାହୁ ଏବଂ ତାଙ୍କ ସଂପର୍କୀୟ ଜେଜେମା’ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା। ନବବଧୂ ରୀମାରାଣୀ ଗୁରୁତର ଅବସ୍ଥାରେ ଦୀର୍ଘ ଦିନ ଧରି କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।

ଏହି ମାମଲାରେ ଏକମାତ୍ର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଘଟଣାର ଦୁଇ ମାସ ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସେ ଏବେ ବିଚାରାଧୀନ କଏଦୀ ଭାବେ ବଲାଙ୍ଗିର ଜେଲ୍‌ରେ ଅଛନ୍ତି।

By amfnews

Related Post