Fri. May 15th, 2026

‌ବୋମାମାଡ଼ରେ ଥରିଲା ସୁମୁଦି ବଜାର, ୩ ଆହତ

207 Views

ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ସୁମୁଦି ବଜାରରେ ଆଜି ସଂଧ୍ୟାରେ ବୋମାମାଡ଼ ହୋଇଛି। ସନା ସାହୁଙ୍କ ଗ୍ରୋସରି ଦୋକାନ ଏବଂ କିଛି ଦୂରେ ଥିବା କାଳିଆ ପାନ ଦୋକାନକୁ ଲକ୍ଷ୍ୟ କରି ୨ଟି ବୋମାମାଡ଼ କରିଥିଲେ। ଏଥିରେ ୩ଜଣ ଆହତ ହୋଇଥିବା ଜଣାଯାଇଛି। ସେମାନେ ହେଲେ, ସୁମୁଦି ଗ୍ରାମର ଲତା ଭୋଇ (୫୫), ଭଗୁଲି ଭୋଇ (୪୫), ଚନ୍ଦନ ଭୋଇ (୧୯)। ସେମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଶେଷ ରିପୋର୍ଟ ଲେଖା ହେବା ସୁଦ୍ଧା ଅଭିଯୁକ୍ତଙ୍କୁ ଧରି ପାରି ନଥିବା ଜଣାଯାଇଛି। ପୂର୍ବଶତ୍ରୁତାରୁ ଏହି ଆପରାଧିକ ଘଟଣା ଘଟିଥିବା ଅନୁମାନ କରାଯାଉଛି। ଅପରପକ୍ଷେ ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସୁମୁଦି ବଜାରରେ ଥିବା ସନା ସାହୁଙ୍କ ଗ୍ରୋସରି ଦୋକାନ ଓ କାଳିଆ ପାନ ଦୋକାନ ଉପରକୁ ଦୁଇଟି ବୋମା ଫିଙ୍ଗିଥିଲେ। ବୋମାର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ କିଛି ଚେତା ହରାଇଥିଲେ। ତେବେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇବା ପରେ ବନମାଳିପୁର ଅଭିମୁଖେ ପଳାଇଥିଲେ। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏହି ଗ୍ରାମର ରାଜୁଆ ତାଙ୍କ ନୂଆ ଅଟୋଟି ଘର ସାମ୍ନାରେ ରଖିଥିବା ବେଳେ କେହି ଦୁର୍ବତ୍ତ ତାକୁ ପୋଡ଼ି ଦେଇଥିଲା। ଏ ସଂପର୍କରେ ରାଜୁଆଙ୍କ ପରିବାର ବାଲିପାଟଣା ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରି ପାରିନାହିଁ। ଅଞ୍ଚଳରେ ବାରମ୍ବାର ଏପରି ଆପରାଧିକ ଘଟଣା ଘଟୁଥିବା ବେଳେ ପୁଲିସର ନିଷ୍କ୍ରିୟତା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

By amfnews

Related Post