Thu. Aug 20th, 2026

ୱାସିଂଟନ୍‌ସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ତଦନ୍ତ ଜାରି

429 Views

ନୂଆଦିଲ୍ଲୀ: କୃଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଯୋଗୁଁ ଆମେରିକାରେ ଚାଲିଥିବା ବିକ୍ଷୋଭ ମଧ୍ୟରେ ବୁଧବାର ଦିନ କେତେକ ଅଜ୍ଞାତ ବ୍ୟକ୍ତି ୱାସିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ପାର୍କ ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ଯୋଗୁଁ ସମଗ୍ର ଆମେରିକାରେ ଦିନକୁ ଦିନ ପ୍ରତିବାଦ ଓ ବିକ୍ଷୋଭ ଉଗ୍ରତର ହେଉଛି। କୃଷ୍ଣକାୟ ସମ୍ପ୍ରଦାୟଙ୍କ ଉଦ୍ଦେଶ୍ୟରେ ବୁଧବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ଟୁଇଟ୍ କରି ଲେଖିଥିଲେ, ଆବ୍ରାହମ୍ ଲିଙ୍କନ୍‌ ପରେ ଯେ‌କୌଣସି ରାଷ୍ଟ୍ରପତିଙ୍କ ଠାରୁ ମୋ ପ୍ରଶାସନ କୃଷ୍ଣକାୟ ସମ୍ପ୍ରଦାୟଙ୍କ ପାଇଁ ଅଧିକ କିଛି କାମ କରିଛି। ସିନେଟର୍ ଟିମ୍ ସ୍କଟ୍‌ଙ୍କ କଥାରେ ଅପର୍ଚ୍ୟୁନିଟି ଜୋନ୍ ପାସ୍ କରିଛି, କ୍ରିମିନାଲ୍ ଜଷ୍ଟିସ୍ ରିଫର୍ମ ପାସ୍ କରିଛି ଏବଂ ଇତିହାସରେ କୃଷ୍ଣକାୟଙ୍କ ବେକାରୀ ସମସ୍ୟା, ଦାରିଦ୍ର୍ୟ ଏବଂ ଅପରାଧ ହାର ସର୍ବନିମ୍ନ କରିଛି।

ଏଠାରେ ପ୍ରକାଶଯୋଗ୍ୟ ଯେ, ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ବାରାକ୍ ଓବାମା ସମଗ୍ର ଆମେରିକାର ପ୍ରତିବାଦକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କୃ‌ଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ବିରୋଧରେ ସ୍ବରଉତ୍ତୋଳନ କରିବାକୁ ସେମାନେ ରାସ୍ତାକୁ ଚାଲି ଆସିଥିବାରୁ ସେ ଧନ୍ୟବାଦ ଦେବା ସହ ଯୁବ ଆଫ୍ରିକୀୟ ଆମେରିକୀୟମାନଙ୍କୁ କହିଛନ୍ତି ଯେ, ପରିବର୍ତ୍ତନ ସମୟ ନିକଟତର ହେଉଥିବାରୁ ରାଗ ଲାଗିଲେ ବି ସେମାନେ ଆଶାବାଦୀ ହୁଅନ୍ତୁ।

By amfnews

Related Post