Sun. Sep 6th, 2026

୫ ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ

527 Views

ଭୁବନେଶ୍ୱର, ଡିସେମ୍ବର ୦୫: କଟକ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ପାଖାପାଖି ୫ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ୫୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି ବେଆଇନ କାରବାରରେ ସଂଶ୍ଲିଷ୍ଟ ବାଲିଅନ୍ତାର ବାପି ବେହେରା ନାମକ ଜଣେ ଯୁବକଙ୍କୁ ଭୁବନେଶ୍ବର ରସୁଲଗଡ଼ ଛକ ନିକଟରୁ ଗିରଫ କରାଯାଇଛି। ବାପି ନିକଟରୁ ଏକ ବାଇକ୍‌ ମଧ୍ୟ ଜବତ ହୋଇଛି। ବିଭାଗର ସୂଚନା ଅନୁସାରେ, ବାପି ହଳଦୀ ପଡ଼ିଆରୁ ଏହି ବ୍ରାଉନ୍‌ ସୁଗାର ନେଇ ହାଇଟେକ୍‌ ଆଡ଼କୁ ବ୍ୟବସାୟ କରିବା ପାଇଁ ଯାଉଥିଲା। ତେବେ ରସୁଲଗଡ଼ ଛକ ନିକଟରେ ତାକୁ ଅବକାରୀ ଅଧିକାରୀମାନେ କାବୁ କରି ନେଇଥିଲେ। ଏହି ବେଆଇନ କାରବାରରେ ଆଉ କିଏ କିଏ ତା’ ସହ ସାମିଲ ଅଛନ୍ତି, କେଉଁଠାରୁ ସେ ଏହି ଧଳା ଜହର ବିକ୍ରି ପାଇଁ ଆଣୁଥିଲା, ବାପିର ରୀତିମତ ଗ୍ରାହକ କିଏ ଆଦି ସଂପର୍କରେ ତାକୁ ପଚରାଉଚରା ଚାଲିଛି। ତା’ ବୟାନ ଆଧାରରେ ଅବକାରୀ ବିଭାଗ ଅସଲ ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଭଳି ଅନେକ ଚଢ଼ଉ ହୋଇଛି। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ଦିନକୁ ଦିନ ଏହି ବ୍ୟବସାୟ ବଢ଼ି ବଢ଼ି ଚାଲିଛି। ହଳଦୀପଡ଼ିଆ ପରେ ପାଣ୍ଡରାର କିମ୍ଭୀରିଆ ଓ ଚକେଇସିହାଣି ଏବେ ଏହି ନିଶା କାରବାରର ନୂଆ ଠିକଣା ପାଲଟିଛି। ଏହି ଅଞ୍ଚଳର କୁଖ୍ୟାତ ନିଶା ବେପାରୀ ହାଡ଼ିଆ ଓ ତାର ସହଯୋଗୀ ଜେଲ୍‌ ଯିବା ପରେ ଏଠା‌ରେ କିଛି ଦିନ ପାଇଁ ବ୍ୟବସାୟ ବନ୍ଦ ଥିଲା। କିନ୍ତୁ ଏବେ ଏହି ବ୍ୟବସାୟ ସମଗ୍ର ଅଞ୍ଚଳକୁ କବଳିତ କରିଛି।

By amfnews

Related Post