Wed. Jul 1st, 2026
229 Views

ଭୁବନେଶ୍ୱର : “୩୦ ହଜାର ଟଙ୍କା କିଛି ବଡ଼ ଘୋଷଣା ନୁହେଁ। ମାସେ, ଦି ମାସେ ମଧ୍ୟରେ ଘର ଖର୍ଚ୍ଚରେ ସରିଯିବ। ମନ୍ଦିର ନିକଟରେ ଫୁଲ, ଦୀପ ଦୋକାନ କରି ପରିବାର ଚଳାଉଛୁ। ୩୦ ହଜାର ଆଜି ନେଲେ, କାଲି ସରିଯିବ। ତେଣୁ ଟଙ୍କା ଦେବା ପରିବର୍ତ୍ତେ ଆମକୁ ଥଇଥାନ କରନ୍ତୁ ସରକାର। ଭେଣ୍ଡିଂ ଜୋନ ଯେବେ କରିବେ କରନ୍ତୁ, କିନ୍ତୁ ଆମେ କିପରି ୨ ପଇସା ରୋଜଗାର କରିବୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆମେ ବହୁ କଷ୍ଟରେ ଚଳୁଛୁ। ” କ୍ରୋଧ ଓ କୋହ ମିଶା କଣ୍ଠରେ ସରକାରଙ୍କୁ ଏପରି ଗୁହାରି କରୁଛନ୍ତି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନରେ ଜୀବୀକା ହରାଇଥିବା ବ୍ୟବସାୟୀ।

ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ସତ୍ତ୍ୱେ ଥମିନି ବ୍ୟବସାୟୀଙ୍କ ରୋଷ । ମନ୍ଦିର ଚୌହଦୀରେ ବର୍ଷ ବର୍ଷ ଧରି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି । ରାଜ୍ୟ ସରକାର ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ତାହା ସମୁଦ୍ରକୁ ଶଂଖେ ।  ଟଙ୍କା ନୁହେଁ ବରଂ ସ୍ଥାୟୀ ଭାବେ ଥଇଥାନ କରାଯାଉ ବୋଲି ସେମାନେ ଦାବି ଜଣାଇଛନ୍ତି।

ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ହେବ। ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ରରେ ବିକାଶ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ପାଇଁ ଜୀବିକା ହରାଉଥିବା ଉଠାଦୋକାନୀଙ୍କ ପାଇଁ ଗତକାଲି ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଉଠା ଦୋକନୀଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।  ଏଥିସହ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ। ହେଲେ ସରକାରଙ୍କ ଏପରି ଘୋଷଣାରେ ଖୁସି ନ ଥିବା କହିଛନ୍ତି ବ୍ୟବସାୟୀ।

“୩୦ ହଜାର ଟଙ୍କା ନେଇ କେତେଦିନ ପରିବାର ପ୍ରତିପୋଷଣ କରିବୁ। ଆଜି ନେଲେ, କାଲି ସରିଯିବ। ତୁରନ୍ତ ଆମକୁ ଥଇଥାନ ଦରକାର। ଭେଣ୍ଡି ଜୋନ ହେବା ପର୍ଯ୍ୟନ୍ତ  ହାତ ବାନ୍ଧି ବସିଲେ ଖାଇବୁ କ’ଣ? ଅସ୍ଥାୟୀ ଭାବେ ବସିବାକୁ ଜାଗା ଦେଲେ ବହୁତ ଖୁସି ହେବୁ ବୋଲି କହିଛନ୍ତି ବିସ୍ଥାପିତ ହୋଇଥିବା ବହୁ ବ୍ୟବସାୟୀ ।

ଏ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉଛି। ସ୍ୱତନ୍ତ୍ର କମିଟି ଗଠିତ ହେଉଛି। ମନ୍ଦିର ନୀତିକାନ୍ତି ବିଷୟରେ ଜ୍ଞାନ ଥିବା ୩ ଜଣ ସଦସ୍ୟ ଏଥିରେ ସାମିଲ ରହିବେ।  ଏହାବ୍ୟତୀତ ନିଯୋଗ ଓ ପ୍ରମୁଖ ସେବାୟତଙ୍କ ପରାମର୍ଶ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି ।

By amfnews

Related Post