Sat. Sep 12th, 2026

୩୦ ମୃତ ବିଦେଶୀ ପକ୍ଷୀ ଜବତ, ୨ ଗିରଫ

212 Views

ଟାଙ୍ଗୀ(ଖୋର୍ଦ୍ଧା), ୧୨ା୧୧ : ଟାଙ୍ଗୀ ବନାଞ୍ଚଳ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ଚିଲିକା ଉପକୂଳ ବାଲିପାଟପୁର ଓ ଅଭିମାନପୁର ରିଙ୍ଗ୍ ବନ୍ଧ ନିକଟରୁ ୩୦ଟି ମୃତ ବିଦେଶାଗତ ପକ୍ଷୀ ଜବତ ସହ ୨ଜଣ ପେସାଦାର ଶିକାରୀଙ୍କୁ ଗିରଫ କରାଯାଇଛି। ଆଜିର ଶିକାରୀ ଗିରଫ ଘଟଣା ଚଳିତବର୍ଷର ପ୍ରଥମ ଘଟଣା ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ଚିଲିକାର ଶୋଭାବର୍ଦ୍ଧନ କରୁଥିବା ଏହି ବିଦେଶାଗତ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଆଜି ବନ୍ୟପ୍ରାଣୀ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବନପାଳ ପ୍ରଣୟ କୁମାର ଜୟସିଂହ, ଶିବ ପ୍ରସାଦ ପଲାଇ, ରାଧାକାନ୍ତ ହୋତା ଏବଂ ଅର୍ଜୁନ ପ୍ରଧାନ ପ୍ରମୁଖ ଟାଙ୍ଗୀ ବନାଞ୍ଚଳ ଅଧୀନ ବାଲିପାଟପୁର ରିଂ ବନ୍ଧ ଏବଂ ଅଭିମାନପୁର ରିଂ ବନ୍ଧରେ ତନଖି ଚଳାଇଥିଲେ। ଏତିକିବେଳେ ଗୋପିନାଥପୁର ବାବୁଲି ପ୍ରଧାନ ଏବଂ ଅଭିମାନପୁରର ଗୋପିନାଥ ପରିଡ଼ା ବାଇକ୍ ଯୋଗେ ୩୦ଟି ମୃତ ବିଦେଶୀ ପକ୍ଷୀ ଧରି ଯାଉଥିବା ଧରାପଡ଼ିଥିଲେ। ମୃତ ପକ୍ଷୀମାନଙ୍କ ମଧ୍ୟରେ ନର୍ଦର୍ଣ ପିଣ୍ଟଲ, କମନ୍ କୁଟ୍, ଲାର୍ଜ ଵିସିଲ ଟିଲ୍, ଉର୍ସିଆନ୍ ହୁଡେନ୍ ଆଦି ରହିଥିବା ଜଣାପଡ଼ିଛି। ଦୁଇଟି ଯାକ ବାଇକ୍ ଏବଂ ମୃ୍ତ ପକ୍ଷିଗୁଡ଼ିକୁ ଜବତ କରାଯିବା ସହ ଅଭିଯୁକ୍ତ ଶିକାରୀ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ୍ୟପ୍ରାଣୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

By amfnews

Related Post