Sun. Jun 14th, 2026

୩ ବର୍ଷ ପରେ ଖୋଲିବ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ

264 Views

ଭୁବନେଶ୍ବର : ତିନି ବର୍ଷ ପରେ ପୁଣିଥରେ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ହେବ। ଏନେଇ ସବୁଜ ସଙ୍କେତ ମିଳିଥିବା ବେଳେ ଅଗଷ୍ଟ ତୃତୀୟ ସପ୍ତାହରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ କଲେଜର ଶହେ ସିଟ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ତେବେ ୨୦୧୫-୧୬‌ ଶିକ୍ଷାବର୍ଷରେ ଉକ୍ତ କଲେଜରେ ୩୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେମାନେ ମଧ୍ୟ ଚଳିତବର୍ଷଠାରୁ ଏଠାରେ ପଢ଼ିବେ। ତେଣୁ ଉକ୍ତ ଛାତ୍ରଛାତ୍ରୀଙ୍କ ସହ ଏବର୍ଷ ଆଉ ୬୩ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଓଜେଇଇ ପକ୍ଷରୁ ହେବାକୁ ଥିବା ସ୍ପଟ୍‌ ନାମଲେଖା ମାଧ୍ୟମରେ ଏହି ସିଟ୍‌ଗୁଡ଼ିକରେ ପୂରଣ କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଏସ୍‌ସିବି ଡେଣ୍ଟାଲ କଲେଜରେ ୫୦ଟି ସିଟ୍‌ ପୂରଣ ହୋଇଛି। ଏହାପରେ ଆଉ ୧୩ଟି ସିଟ୍‌ରେ ନାମଲେଖା ପାଇଁ ଭାରତୀୟ ଭେଷଜ ପରିଷଦ ଅନୁମତି ଦେଇଛି। ଏହି ସିଟ୍‌ଗୁଡ଼ିକରେ କେବଳ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀ ନାମ ଲେଖାଇପାରିବେ‌। ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦଙ୍କ କହିବାନୁଯାୟୀ ହା‌ଇଟେକ୍‌ ମେଡିକାଲ କଲେଜ ଓ ଏସ୍‌ସିବି ଡେଣ୍ଟାଲ କଲେଜର ବର୍ଦ୍ଧିତ ସିଟ୍‌ ପାଇଁ ଏକାଥରେ ସ୍ପଟ୍‌ କାଉନସେଲିଂ କରାଯିବ। ଅଗଷ୍ଟ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

By amfnews

Related Post