Mon. Sep 7th, 2026
260 Views

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ସେହିଦିନ ଅପରାହ୍ନରେ ସେ ଆୟୋଜିତ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ସପକ୍ଷ ଜନ ସମାବେଶରେ ଯୋଗଦେବେ। ସମାବେଶ ପରେ ଅମିତ ଶାହ ଭୁବନେଶ୍ୱରରେ ରାତ୍ର ଯାପନ କରିବେ। ତା’ପର ଦିନ ଅର୍ଥାତ ୨୯ ତାରିଖ ସକାଳେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ପରେ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଆସି ନୂଆଦିଲ୍ଲୀ ଫେରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି-“ଗତ ଶୀଳକାଳୀନ ଅଧିବେଶରେ ସିଏଏ ପାସ୍‌ ହୋଇଥିଲା। ସିଏଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଜାନୁଆରୀ ୫ ତାରିଖରେ ସମଗ୍ର ଦେଶରେ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ସେହି ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ୫ଟି ଜିଲ୍ଲାରେ ବିଶାଳ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବ୍ରହ୍ମପୁରରେ ବାବୁଲ୍‌ ସୁପ୍ରିୟୋ, ସମ୍ୱଲପୁରରେ ଗିରିରାଜ ସିଂହ ଓ କୋରାପୁଟର ଜୟପୁରରେ ରୁପା ଗାଙ୍ଗୁଲି ଯୋଗଦେଇଥିଲେ। ଏହାଛଡ଼ା ୨୫ଟି ରାଜସ୍ୱ ଜିଲ୍ଲା କେନ୍ଦ୍ରମାନଙ୍କରେ ମଧ୍ୟ ସିଏଏ ସପକ୍ଷରେ ପଦଯାତ୍ରା ଓ ଜନସଭା କରାଯାଇଥିଲା। ସେହିପରି ବୁଦ୍ଧିଜୀବୀ ସମ୍ମିଳନୀ ମଧ୍ୟ ହୋଇଥିଲା। ଯେଉଁଥିରେ ବିପୁଳ ଜନ ସମର୍ଥନ ମିଳିଥିଲା। ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେବେ।”

By amfnews

Related Post