Sat. Aug 1st, 2026

୨୦୧୭-୧୮ ବିଦେଶ ଗସ୍ତକାଳରେ ୧୨ ଲକ୍ଷ ୫୭ ହଜାର ଟଙ୍କାର ୧୬୮ଟି ଉପହାର ପାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

300 Views

ନୂଆଦିଲ୍ଲୀ: ଜୁଲାଇ ୨୦୧୭ ରୁ ଜୁନ୍‌ ୨୦୧୮ ପର୍ଯ୍ୟନ୍ତ ବିଦେଶ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ୧୨ ଲକ୍ଷ ୫୭ ହଜାର ଟଙ୍କା ମୂଲ୍ୟର ୧୬୮ଟି ଉପଢୌକନ ପାଇଥିବା କଥା ବୈଦେଶିକ ମନ୍ତ୍ରାଳୟ ଟ୍ରେଜରି ତଥ୍ୟରୁ ପ୍ରକାଶ।

ଏହି ଉପହାରଗୁଡ଼ିକ ମଧ୍ୟରେ ୧ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ଗୋଟାଏ ମଣ୍ଟ୍‌ବ୍ଲାଙ୍କ୍‌ ହାତଘଡ଼ି, ୨ ଲକ୍ଷ ୧୫ ହଜାର ଟଙ୍କା ମୂଲ୍ୟର ଗୋଟିଏ ରୁପାଫଳକ ଏବଂ ୧ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ସେଟ୍‌ ମଣ୍ଟ୍‌ବ୍ଲାଙ୍କ୍‌ ପେନ୍‌ ରହିଛି ବୋଲି ମନ୍ତ୍ରାଳୟ େଓ୍ଵବ୍‌ସାଇଟ୍‌ରେ ଦର୍ଶାଯାଇଥିବା ତୋଶାଖାନା (ଟ୍ରେଜରି) ତଥ୍ୟରୁ ଜଣାପଡ଼ିଛି।

ଏହାଛଡ଼ା ପ୍ରଧାମନ୍ତ୍ରୀଙ୍କୁ ମୂର୍ତ୍ତି, ଚିତ୍ର, ପୁସ୍ତକ, ଫଟୋଗ୍ରାଫ୍‌ ଏବଂ ବୁଲେଟ୍‌ ଟ୍ରେନ୍‌ର ଗୋଟିଏ ନମୁନା ବି ଉପହାର ମିଳିଛି।
ତୋଶାଖାନା ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠୁ ଅଧିକ ମୂଲ୍ୟର ଉପହାରକୁ ରଖିଥାଏ। ଏଥର ପ୍ରଧାନମନ୍ତ୍ରୀ ଇସ୍ରାଏଲ୍‌, ଜର୍ମାନି, ଚୀନ୍‌, ଜୋର୍ଡାନ୍‌, ପାଲେଷ୍ଟାଇନ୍‌, ୟୁଏଇ, ରୁଷ୍‌, ଓମାନ୍‌, ସ୍ୱିଡେନ୍‌, ଇଂଲଣ୍ଡ, ଇଣ୍ଡୋନେସିଆ ଏବଂ ମାଲେସିୟା ଆଦି ୨୦ଟି ଦେଶ ଗସ୍ତ କରିଥିଲେ।

ଗୋଟିଏ ସ୍ଫଟିକ, ରୁପା କଂସା, ନେପାଳର ପଶୁପତିନାଥ ମନ୍ଦିର ଓ ମୁକ୍ତିନାଥ ମନ୍ଦିରର ପ୍ରତିରୂପ, ଶାଲ୍‌, ଦେବଦେବୀଙ୍କ ପ୍ରତିମା, ଚା ସେଟ୍‌, ଗାଲିଚା, ସ୍ୱେଟର୍‌, ମଫ୍‌ଲର୍‌. ଝରକଲମ ଆଦି ଉପହାର ମଧ୍ୟ ପ୍ରଧାନମନ୍ତ୍ରୀ ପାଇଥିବା କଥା ତଥ୍ୟରୁ ଜାଣିବାକୁ ମିଳିଛି।

୫୦ ହଜାର ଟଙ୍କାର ଗୋଟିଏ ମସ୍‌ଜିଦ୍‌ ଏବଂ ୨୦ ହଜାର ଟଙ୍କାର ଏକ ଭୁଜାଲି ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ଭାବେ ଗ୍ରହଣ କରିଛନ୍ତି।
ଭାରତକୁ ପ୍ରତିନିଧିତ୍ୱ କରିଥିବା ସରକାରୀ ଅଧିକାରୀମାନେ ଗ୍ରହଣ କରିଥିବା ଉପହାରର ମୂଲ୍ୟ ୫ ହଜାର ଟଙ୍କା ହେବ ଏବଂ ସେସବୁ ମନ୍ତ୍ରାଳୟ ତୋଶାଖାନାରେ ଜମା କରାଯାଇଛି। ଯଦି ଉପହାରର ବଜାର ମୂଲ୍ୟ ଏହା ଠାରୁ କମ୍‌ ହୁଏ ତେବେ ଯାହାଙ୍କୁ ଉପହାର ମିଳିଥାଏ, ସେ ଏହାକୁ ନିଜେ ନେଇ ପାରିବେ ବୋଲି ସରକାରୀ ନିୟମ ରହିଛି।

By amfnews

Related Post