Tue. Apr 28th, 2026

୧୬ରୁ ଇ-ଚାଲାଣ ବ୍ୟବସ୍ଥା

252 Views

ଭୁବନେଶ୍ବର , ଡିସେମ୍ବର ୧୧ : ଆଉ କାଗଜ କଲମ ନୁହେଁ ଏଣିକି ନିୟମ ଉଲଂଘନକାରୀଙ୍କ ଠାରୁ ଇ-ଚାଲାଣ ବ୍ୟବସ୍ଥାରେ ଜରିମାନା ଆଦାୟ ହେବ। ନିୟମ ଉଲଂଘନକାରୀଙ୍କ ପକେଟ୍‌ରେ ଟଙ୍କା ନଥିଲେ ମଧ୍ୟ ଖସି ଯାଇପାରିବେନି। ଏଥିପାଇଁ ପୁଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ର ପିଓଏସ୍‌ ମେସିନ୍‌ ପ୍ରଦାନ କରାଯିବ। ସେମାନେ ‌ନିୟମ ଉଲଂଘନକାରୀଙ୍କ ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କର୍ଡରେ ଜରିମାନା ଆଦାୟ କରିବେ। ତେବେ ଏହି ବ୍ୟବସ୍ଥାକୁ ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ଲାଗୁହେବ ବୋଲି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଇ-ଚାଲାଣ ମେସିନ୍‌ର ଉଦ୍‌ଘାଟନ କରି ଡିଜି ଶ୍ରୀ ଶର୍ମା କହିଥିଲେ ଯେ, ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଜରିମାନା ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଅନିୟମିତତା ଅଭିଯୋଗ ମଧ୍ୟ ବହୁମାତ୍ରାରେ କମିଯିବ। ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ପୁଲିସ ବ୍ୟବହାର କରିବା ନେଇ ଯୋଜନା କରାଯାଉଥିବା ଡିଜି ଶ୍ରୀ ଶର୍ମା କହିଛନ୍ତି। ସେହିପରି ସିସିଟିଏନ୍‌ଏସ୍‌ ବ୍ୟବସ୍ଥାର ଅଧିକ ପ୍ରଭାବ ପାଇଁ ମଧ୍ୟ ଯୋଜନା କରାଯାଉଥିବା କହିଥିଲେ। ତେବେ ଅଗାମୀ ଦିନରେ ସିସିଟିଏନ୍‌ଏସ୍‌କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ତଥା ସମସ୍ତ ୧୯ଟି ସେବାକୁ ବ୍ୟବହାର ନେଇ ଯୋଜନା କରାଯାଉଛି ବୋଲି ଡିଜି ଶ୍ରୀ ଶର୍ମା କହିଛିନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ଯୋଗଦେଇ କହିଥିଲେ ଯେ, ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କ ଠାରୁ ପ୍ରତିଦିନ ପାଖାପାଖି ୨-୩ଲକ୍ଷ ଟଙ୍କା ଆଦାୟ କରାଯାଉଛି। ମାସକୁ ପାଖାପାଖି ଦେଢ଼ କୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। ଏହି ବ୍ୟବସ୍ଥା ଦ୍ବାରା ଜରିମାନା ଆଦାୟରେ ଅନିୟମିତତା ଅଭିଯୋଗ କମିବା ସହ ଅଧିକ ସ୍ବଚ୍ଛତା ଆସିବ। ଏଥିପାଇଁ ସ୍ବତନ୍ତ୍ର ଆପ୍‌ ମଧ୍ୟ କରାଯାଇଛି। ସେହିପରି ବିଭିନ୍ନ ଲାଇସେନ୍ସ ଫି ଓ ଦେୟ ଆଦାୟ ପାଇଁ ମଧ୍ୟ ଏହି ମେସିନ୍‌କୁ ବ୍ୟବହାର କରାଯିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୩୦ ମେସିନ୍‌କୁ ଇନ୍‌ଷ୍ଟଲ୍‌ କରାଯାଇଛି। ୧୫ ତାରିଖ ସୁଦ୍ଧା ଅବଶିଷ୍ଟ ୧୩୦ଟି ମେସିନ୍‌ କମିସନରେଟ୍‌ ପୁଲସିକୁ ଆସିବ। ତେବେ ବିନା ମୂଲ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମସ୍ତ ମେସିନ୍‌ ଯୋଗାଇବ। ସେହିପରି ୧୪ତାରିଖ ମଧ୍ୟରେ ପୁଲିସ କର୍ମଚାରୀଙ୍କୁ ମେସିନ୍‌ର ବ୍ୟବହାର ଉପରେ ତାଲିମ ମଧ୍ୟ ପ୍ରଦାନ କରିବ ବୋଲି ସିପି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ପୁଲିସ ସେବା ଓ ତଦନ୍ତ ପ୍ରକ୍ରିୟାରେ ସହାୟକ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗାଇଦେବା ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ଦେବାଶିଷ ସେନାପତି କହିଛନ୍ତି। ଶେଷରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଡିସିପି ଅନୁପ ସାହୁ, ଡିସିପି କଟକ ଅଖିଳେସ ସିଂ, ଟ୍ରାଫିକ୍‌ ଡିସିପି ବିକେ ସାହୁ, ଏସିପି ଅନୁପ୍‌ କାନୁନ୍‌ଗୋଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

By amfnews

Related Post