Fri. Apr 24th, 2026

୧୦ ବର୍ଷରେ ୯୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

277 Views

ଯୋଧପୁର: ରାଜସ୍ଥାନର ସିରୋହି ନିକଟରେ ଆଜି ସକାଳେ ଏକ ମିଗ୍-୨୭ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି I ପାଇଲଟ ସୁରକ୍ଷିତ ଥିବା ବେଳେ ଅନ୍ୟ କେହି ମୃତାହତ ହୋଇ ନାହାନ୍ତି ।
ସୂଚନା ଅନୁଯାୟୀ ସୋଭିଏତ ରୁଷ ନିର୍ମିତ ଏହି ପୁରୁଣା ମୋଡେଲ ମିଗ୍-୨୭ ଲଢୁଆ ବିମାନ ଦିନ ୧୧.୪୫ ରେ ବରମେର ଏୟାର ବେସରୁ ଉଡାଣ ଭରିଥିଲା I ଅଚାନକ ଇଂଜିନ୍‌ରେ ତ୍ରୁଟି ଲକ୍ଷ କରିବା ପରେ ପାଇଲଟ ଜଣକ ପାରାଚୁଟ୍‌ ସାହାଯ୍ୟରେ ନିରାପଦ ଭାବେ ଓହ୍ଲାଇ ଯାଇଥିଲେ। ଫଳରେ ବିମାନଟି ଯୋଧପୁର ଠାରୁ ୧୨୦ କିଲୋମିଟର ଦୂର ସେଅଗଂଜ୍‌ ନିକଟ ଗୋଡନାରେ ଖସିପଡିଥିଲା। ବିମାନଟି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲେ ମଧ୍ୟ ଘଟଣାସ୍ଥଳରେ କେହି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏହି ଦୁର୍ଘଟଣା ଉପରେ କୋର୍ଟ ଅଫ ଇନକ୍ୱାରୀ ହେବ ବୋଲି ସୂଚନା ଦିଆଯାଇଛି I
ଗତ ତିନି ମାସ ମଧ୍ୟରେ ଭାରତୀୟ ବାୟୁସେନାର ୯ ଗୋଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରକାଶ I ଜାନୁଆରୀ ମାସଠୁ ଏ ପର୍ଯ୍ୟନ୍ତ ଗୋଟିଏ ଜାଗୁଆର ବୋମାବର୍ଷୀ ଲଢୁଆ ବିମାନ, ଦୁଇଟି ମିଗ୍-୨୭, ଦୁଇଟି ହକ ଫାଇଟର, ଦୁଇଟି ଜେଟ ବିମାନ, ଦୁଇ ସିଟ ବିଶିଷ୍ଟ ଗୋଟିଏ ମିରେଜ-୨୦୦୦ ଏବଂ ମିଗ୍-୨୧ ବିସନ ବିମାନ ଧ୍ବଂସ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ବାଲାକୋଟ ଅପରେସନ ବେଳେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଉଡାଉଥିବା ମିଗ୍-୨୧ ଖସିପଡିଥିବା ବେଳେ ସେହି ଦିନ ହିଁ ଜାମ୍ମୁରେ ବାୟୁସେନାର ଏକ ଏମଆଇ-୧୭ ଭି୫ ହେଲିକେପ୍ଟର ଧ୍ବଂସ ହୋଇଯାଇଥିଲା I
ପାର୍ଲିଆମେଣ୍ଟରେ ଉପସ୍ଥାପିତ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ୯୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅଧିକାଂଶ ମିଗ୍-୨୭ ବିମାନ ବୋଲି ଜଣାପଡିଛି। ବାୟୁସେନା ପାଇଁ ମୋଟ ୪୨ ଟି ଫାଇଟର ସ୍କ୍ୱାର୍ଡ଼ନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ କେବେଳ ୩୩ଟି ଥିବା ଜଣାପଡିଛି I

By amfnews

Related Post