Sat. Jul 4th, 2026

ହେଲମେଟ୍ ନିୟମରୁ ଆଇନଜୀବୀଙ୍କୁ ବାଦ୍‌ ଦେବାକୁ ଅନୁରୋଧ

329 Views

ବାଲେଶ୍ୱର : ସେପ୍ଟେମ୍ବର ପହିଲାରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଲାଇଲେ ବା ଟ୍ରାଫିକ୍‌ର ଅନ୍ୟ କୌଣସି ନିୟମ ଉଲ୍ଲଘଂନ କଲେ ମୋଟାଅଙ୍କର ଫାଇନ୍‌ ଦେବାକୁ ପଡ଼ୁଛି। ନେତା ବି ଏଥିରୁ ବାଦ୍ ପଡୁ ନାହାନ୍ତି। ଅବଶ୍ୟ ଡ୍ରାଇଭିଂ ଲାଇସେନ୍‌ସ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଠିକ୍‌ଠାକ୍ କରି ନେବା ପାଇଁ ରାଜ୍ୟ ସରକାର ତିନି ମାସ ସମୟ ଦେଇଛନ୍ତି। କିନ୍ତୁ ୟା ଭିତରେ ଆଇନ୍‌ଜୀବୀଙ୍କୁ ହେଲ୍‌ମେଟ୍ ନିୟମରୁ ବାଦ୍ ଦେବାକୁ ଅନୁରୋଧ କରିଛି ବାଲେଶ୍ୱର ବାର୍ ଆସୋସିଏସନ୍‌। ଏ ନେଇ ଏକ ସଂକଳ୍ପ ପାରିତ କରାଯାଇ ବାଲେଶ୍ୱର ଏସ୍‌ପିଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି।

ଏହି ଚିଠିରେ ଦର୍ଶାଯାଇଛି ଯେ, ବାର୍‌ର ସଦସ୍ୟମାନେ ନିକଟବର୍ତ୍ତୀ ବିଭିନ୍ନ କୋର୍ଟକୁ ଅଫିସ୍ ସମୟରେ ମାମଲା ଲଢ଼ିବାକୁ ଯାଉଛନ୍ତି। ସେଥିପାଇଁ ସକାଳ ଆଠଟାରୁ ରାତି ଆଠଟା ପର୍ଯ୍ୟନ୍ତ ଆଇନଜୀବୀଙ୍କୁ ହେଲମେଟ୍ ପିନ୍ଧିବା ନିୟମରୁ ବାଦ୍‌ ଦିଆଯାଉ। ଏହି ସମୟରେ ଭିତରେ ଆଇନ ଜୀବୀମାନେ ହେଲ୍‌ମେଟ୍ ନ ପିନ୍ଧିଲେ ପୁଲିସ୍ ସେମାନଙ୍କୁ ରାସ୍ତାରେ ଅଯଥା ନ ଅଟକାଉ।

ବାଲେଶ୍ୱର ବାର୍‌ ଆସୋସିଏସନ୍‌ର ସଂପାଦକ ସମ୍ବିତ କୁମାର ନନ୍ଦି କହିଛନ୍ତି,“ହେଲମେଟ୍‌ ଚେକିଂ କରିବା ଦ୍ୱାରା କୋର୍ଟ କାମ କରିବାରେ ଅସୁବିଧା ହେଉଛି। ସେଥିପାଇଁ ପାଇଁ ହେଲ୍‌ମେଟ୍ ପିନ୍ଧିବା ନିୟମରୁ ଆଇନଜୀବୀଙ୍କୁ ବାଦ୍‌ ଦିଆଯାଉ।”

By amfnews

Related Post