Sat. Aug 8th, 2026

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପରଲୋକ

325 Views

ମୁମ୍ବାଇ :  ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍ ଖାନଙ୍କର ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର  ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋକରେ ବୁଡିଯାଇଛି ବଲିଉଡ୍। ନିଜ ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍-ଓ୍ୱାଜିଦ ନାମରେ ସେ ବହୁ ଲୋକପ୍ରିୟ ବଲିଉଡ୍ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। କିଛିଦିନ ତଳେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସଂଗୀତକାର ୱାଜିଦ୍ ଖାନଙ୍କର ଅକାଳ ବିୟୋଗରେ ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ୱାଜିଦ୍ ଖାନ୍ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। କିଛି ମାସ ତଳେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା। ଗତ ଚାରି ଦିନ ହେବ ସେ ମୁମ୍ବାଇର ଚେମ୍ବୁରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। କିଡନୀରେ ସଂକ୍ରମଣ ବଢ଼ିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ରାତିରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଯାଇଥିଲା।  ସେଠାରେ ୱାଜିଦ ଖାନଙ୍କର ପରଲୋକ ହୋଇଥିଲା।

ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ୱାଜିଦଙ୍କ ମନଛୁଆଁ ସଙ୍ଗୀତ ଶୁଣିବାକୁ ମିଳିଛି ।

ଜଣେ ଗାୟକ ଭାବେ ସେ ହୁଡ ହୁଡ ଦବଙ୍ଗ ଦବଙ୍ଗ ଠାରୁ ଆରମ୍ଭ କରି ଫେଭିକଲ୍ ସେ, ଚିନ୍ତା ତା ଚିନ୍ତା ଚିନ୍ତା ଏବଂ ଜଲୱା ଭଳି ଅନେକ ଦମଦାର ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତେବେ ଶେଷ ଥର ପାଇଁ ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଭାଇ-ଭାଇ ଗୀତ କମ୍ପୋଜ କରିଥିଲେ ୱାଜିଦ୍ ଖାନ୍ ।

By amfnews

Related Post