Fri. Apr 24th, 2026

ହାତୀ ଚଳପ୍ରଚଳ ସମୟରେ କରିଡରରେ ବିଦ୍ୟୁତ କାଟ୍‌ ନିର୍ଦ୍ଦେଶ

295 Views

ଭୁବନେଶ୍ବର , ନଭେମ୍ବର ୧୭: ନିୟମିତ ବ୍ୟବଧାନରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଘଟିବା ପରେ ଆଜି ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ ଆବଣ୍ଟନ ସଂସ୍ଥା ସେସୁ, ନେସ୍କୋ, ୱେସ୍କୋ, ସାଉଥ୍‌କୋକୁ ନିର୍ଦ୍ଦେଶନାମା ଜାରି ହୋଇଛି। ହାତୀ କରିଡରରେ ହାତୀ ଚଳପ୍ରଚଳ କରିବା ସମୟରେ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ଶକ୍ତି ବିଭାଗ ସ୍ବତନ୍ତ୍ର ସଚିବ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ବତନ୍ତ୍ର ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, ନିକଟରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ହାତୀ କରିଡର କିମ୍ବା ବନ୍ୟ ଜନ୍ତୁ ଯଦି କୌଣସି ଅଞ୍ଚଳରେ ଚଳପ୍ରଚଳ କରୁଥିବାର ଖବର ବନ୍ୟ ବିଭାଗ ବା କୌଣସି ବିଶ୍ବସ୍ତ ସୂତ୍ରରୁ ମିଳୁଛି ତେବେ ଉକ୍ତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରାଯିବ। ହାତୀ କିମ୍ବା ବନ୍ୟଜନ୍ତୁ ଉକ୍ତ ଅଞ୍ଚଳ ପାର୍‌ ହେବା ପରେ ପୁଣି ବିଦ୍ୟୁତ ସଂଯୋଗ ଦିଆଯିବ।

ଶକ୍ତି ବିଭାଗର ଏହିଭଳି ନିର୍ଦ୍ଦେଶନାମା ଅନ୍ଧକୁ ଆଖିଠାର ସଦୃଶ ହୋଇଛି। କେତେବେଳେ ହାତୀ କିମ୍ବା ବନ୍ୟ ଜନ୍ତୁ ହାତୀ କରିଡରରେ ଯାତାୟତ କଲେ ତାହା ତତ୍‌କ୍ଷଣାତ୍ ଜାଣିବା ବନ ବିଭାଗ କର୍ମଚାରୀଙ୍କ ପକ୍ଷେ ସମ୍ଭବ ନୁହେଁ। ଯଦି ବି ବନ ବିଭାଗ କର୍ମଚାରୀ ନଜାଣନ୍ତି ତେବେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଜଣାଇବେ ବୋଲି ବି କିଛି ମାନେ ନାହିଁ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନକରି ଶକ୍ତି ବିଭାଗ ଭବିଷ୍ୟତରେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏହିଭଳି ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି।

By amfnews

Related Post