Mon. Jul 27th, 2026

ହାଇୱା ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା!

291 Views

ଯୋଡ଼ା , ଡିସେମ୍ବର ୨୮ : ଏକ ବାଇକକୁ ଧକ୍କା ଦେବାରୁ ହାଇୱା ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଗାଡ଼ିର ଷ୍ଟିୟରିଂ ସିଟ୍‌ରେ ବସାଇ ଦେଇ ଅଭିଯୁକ୍ତମା‌ନେ ଚମ୍ପଟ ମାରିଛନ୍ତି। ମୃତ ଡ୍ରାଇଭର ଟଙ୍କଧର ନାଏକ (୫୦)ଙ୍କ ଘର କେନ୍ଦୁଝରର ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ବୋଲି ଜଣାପଡ଼ିଛି। ବାଇକ ଆରୋହୀ ଓ ଅନ୍ୟ କେତେଜଣ ଟଙ୍କଧରଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ସୂଚନା ଅନୁଯାୟୀ, ଟଙ୍କଧର ଯୋଡ଼ାସ୍ଥିତ ବନେଇକଳାଠାରେ ରହୁଥିବା ସୁମନ୍ତ ଘୋଷଙ୍କ ହାଇୱା(ଓଡି ୦୯ ଜି– ୩୧୫୯)କୁ ଗତ ୩ ମାସ ଧରି ଚଳାଉଥିଲେ। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ସାନିନ୍ଦପୁର ରୁଙ୍ଗଟା ମାଇନ୍ସରୁ ଲୁହାପଥର ନେଇ ଫେରୁଥିବା ସମୟରେ ବାମେବାରୀ ଥାନା ନୟାଗଡ଼ ରାସ୍ତାର ବ୍ରାହ୍ମଣିଡିହି ଛକ ନିକଟରେ ଟଙ୍କଧରଙ୍କୁ କେହି ହତ୍ୟା କରିଥିବା ସଂପର୍କରେ ଶ୍ରୀ ଘୋଷ ଥାନାରେ ଲିଖିତଭାବେ ଜଣାଇଥିଲେ।

ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଏହି ହାଇୱାଟି ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାପରେ ବାଇକ୍‌ ଆରୋହୀ ଗାଡ଼ିର ଜେକ୍ ରଡ୍‌ ସାହାଯ୍ୟରେ ଡ୍ରାଇଭରଙ୍କୁ ପିଟି ପିଟି ମାରିଦେଇଥିବା ସନ୍ଦେହ କରାଯାଉଛି।

By amfnews

Related Post