Wed. Sep 9th, 2026

ହସ୍ପିଟାଲ ପଛରୁ ମିଳିଲା ମଣିଷ କଙ୍କାଳ

423 Views

ମୁଜାଫରପୁର: ପୁଣିଥରେ ବିହାରର ମୁଜାଫରପୁରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଯେଉଁ ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ରେ ୧୦୮ ଜଣ ଶିଶୁ ପ୍ରାଣ ହରାଇଥିଲେ ଆଜି ସେହି ହସ୍ପିଟାଲ୍‌ର ପଛ ପଟେ ଏକାଧିକ ମଣିଷ କଙ୍କାଳ ଠାବ ହୋଇଛି। ହସ୍ପିଟାଲ୍‌ ପରିସରର ପଛ ପଟରେ ଥିବା ଖୋଲା ସ୍ଥାନରେ ମଣିଷର ହାଡ଼, ଖପୁରୀ ଓ ଅନ୍ୟାନ୍ୟ ଅଂଶ ବିଶେଷ ପଡ଼ି ରହିଥିବାର ଫଟୋ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ଏସ୍‌କେଏମସିଏଚ୍‌ର ସୁପରିନଟେଣ୍ଡେଣ୍ଟ ଏସ୍‌କେ ଶାହି କହିଛନ୍ତି, “ସମ୍ଭବତଃ ଶବ ବ୍ୟବଚ୍ଛେଦ କରୁଥିବା ବିଭାଗ ଏଗୁଡ଼ିକୁ ଏଭଳି ଫୋପାଡ଼ିଛି। ଏହା ନିଶ୍ଚିତ ଏକ ସମ୍ବେଦନଶୀଳ ଘଟଣା। ଶବ ବ୍ୟବଚ୍ଛେଦ ବିଭାଗ ପ୍ରିନ୍ସିପାଲଙ୍କ ଅଧୀନରେ ରହିଛି। ହେଲେ ଏଭଳି କଙ୍କାଳକୁ ଏଣେତେଣେ ଫୋପାଡ଼ିବା ଠିକ୍‌ ନୁହେଁ। ଏସମ୍ପର୍କରେ ମୁଁ ପ୍ରିନ୍ସିପାଲଙ୍କ ସହ କଥା ହେବି। ଏଥିସହ ମୁଁ ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ତାଙ୍କୁ କହିବି।”

କଙ୍କାଳ ଠାବ ହୋଇଥିବା ସ୍ଥାନକୁ ଯାଇ ବରିଷ୍ଠ ଅଧିକାରୀମାନେ ଛାନଭିନ୍‌ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ହସ୍ପିଟାଲ୍‌ରେ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ନଥିବାରୁ ଏନସେଫାଲାଇଟିସ୍‌ରେ ୧୦୮ ଜଣ ଶିଶୁ ପ୍ରାଣ ହରାଇ ଥିବା ବେଳେ ଏବେ ସେଠାରୁ ମଣିଷ କଙ୍କାଳ ମିଳିବା ପରେ ବିବାଦ ଅଧିକ ଘନୀଭୂତ ହୋଇଛି।

By amfnews

Related Post