Sun. Jun 14th, 2026

ସଡ଼କ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ମୃତ

191 Views

ବୌଦ୍ଧ  : ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୭: ୩୦ରେ ବୌଦ୍ଧକୁ ଆସିବା ରାସ୍ତାର ଚାରିଛକ ଅଞ୍ଚଳର କଲରାକୋଠା ନିକଟରେ ତାଙ୍କ କାର୍‌ଟି ଗୋଟାଏ ଗଛରେ ପିଟି ହୋଇ ବୁଲି ଯାଇଥିଲା। ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଥିବାରୁ ସେ ତାଙ୍କ ଭୁବନେଶ୍ୱର ବାସଭବନରୁ ବୌଦ୍ଧକୁ ଫେରୁଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ।

ଚିକିତ୍ସା ନିମନ୍ତେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବୌଦ୍ଧ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରରେ ଦୁର୍ଘଟଣାଜିନତ କୌଣସି କ୍ଷତ ଚିହ୍ନ ନ ଥିଲା। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି କୁହାଯାଉଥିଲେ ବି ଡାକ୍ତରମାନେ ତାହା ସ୍ପଷ୍ଟ କରି ନାହାନ୍ତି।ସୁଶାନ୍ତ ନାମକ ଜଣେ ବ୍ୟକ୍ତି ତାଙ୍କର ଗାଡ଼ି ଚଳାଉଥିଲେ। ତାଙ୍କ ମେରୁଦଣ୍ଡର ୭ଟି ହାଡ଼ ଭାଙ୍ଗିଯାଇଛି। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା ସୁଶାନ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

ଅତିରିକ୍ତ ଜିଲ୍ଲାପାଳଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍‌ଡିଭିଜନ୍‌ ଅନ୍ତର୍ଗତ କାନପୁର ଗାଁରେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ପରିବାର ଭୁବନେଶ୍ୱରସ୍ଥିତ ରେଣ୍ଟାଲ୍‌ କଲୋନିରେ ରହନ୍ତି। ସେମାନଙ୍କୁ ଖବର ଦିଆଯାଇଛି। ସେମାନେ ଆସିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ସମସ୍ତ ଅଧିକାରୀ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।

By amfnews

Related Post