Mon. Oct 19th, 2026

ସୁରତରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

280 Views

ବେଲଗୁଣ୍ଠା : ଗୁଜୁରାଟର ସୁରତରେ ଗତ ରାତିରେ ଜଣେ ଓଡ଼ିଆ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଞ୍ଚାୟତ ନୂଆଗଡ଼ ଗ୍ରାମର ଭଞ୍ଜକିଶୋର ରାଉତ (୨୫)। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ହାଣି ନିର୍ମମ ଭାବେ ହତ୍ୟା କରିଥିବାବେଳେ ତାଙ୍କ ଶରୀର‌ରେ ୩୦ରୁ ଅଧିକ ଚୋଟ ଥିବା ଜଣାପଡ଼ିଛି। ମୃତକ ଭଞ୍ଜଙ୍କ ବାପା ଭରତ ରାଉତ ସେଠାକାର ଅମ୍ରୋଲି ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ସୁରତ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଞ୍ଜଙ୍କୁ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଭରତ ରାଉତ ପ୍ରାୟ ୧୫ ବର୍ଷ ହେଲା ସୁରତରେ ରହି ଏକ ସୂତା କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ପୁଅ ଭଞ୍ଜ ବି ତାଙ୍କ ପାଖରେ ରହୁଥିଲେ। ଗତକାଲି ରାତିରେ ଭଞ୍ଜ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଭୋଜିର ଆୟୋଜନ କରିଥିଲେ। ଖାଇସାରି ବସାକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଅମ୍ରୋଲି ଥାନା ଅଧୀନ ଆଭାସ ରାସ୍ତାରେ ୫ରୁ ୬ଜଣ ଯୁବକ ଏକ ଅଟୋରେ ଆସି ତାଙ୍କୁ ଘେରି ଯାଇଥିଲେ। ସେମାନେ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ରରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଭଞ୍ଜଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେଠାରୁ ଆକ୍ରମଣକାରୀ ଚମ୍ପଟ୍ ମାରିଥିଲେ। ପୁଲିସ ତଦନ୍ତ ଜାରି ରଖିଛି। ଭଞ୍ଜଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ତାଙ୍କ ନିଜ ଗାଁ ଗଞ୍ଜାମ ନୂଆଗଡ଼ରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post