Wed. May 27th, 2026

ସିବିଏସ୍‌ଇ ଟପର୍‌ଙ୍କୁ ଗଣଦୁଷ୍କର୍ମ

205 Views

ଗୁରୁଗ୍ରାମ୍‌:  ହରିୟାଣାରେ ଜଣେ ୧୯ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।   ଏହି ଛାତ୍ରୀ ଜଣଙ୍କ ରାଜ୍ୟର ଦ୍ୱାଦଶ ଶ୍ରେଣୀ ସିବିଏସଇ ଟପର ଏବଂ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସେ ପୁରସ୍କୃତ ହୋଇଥିଲେ।  ଗତ ବୁଧବାର   ସକାଳେ ପୀଡ଼ିତା  ମହେନ୍ଦ୍ରନଗରର କନିନା ସ୍ଥିତ  କୋଚିଂ ସେଣ୍ଟର ଯାଉଥିବା ସମୟରେ ତାଙ୍କ ଗ୍ରାମର ୩ ଜଣ ଯୁବକ ତାଙ୍କୁ  ରାସ୍ତାରେ ଅଟକାଇ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେମାନେ ତାଙ୍କୁ  ପାଣି ପିଇବାକୁ ଦେଇଥିଲେ। ଛାତ୍ରୀ ଜଣକ ଗ୍ରାମର ଯୁବକଙ୍କୁ ଚିହ୍ନି ଥିବାରୁ  ପାଣି ପିଇ ଦେଇଥିଲେ।

କିନ୍ତୁ ପାଣିରେ ନିଶାଦ୍ରବ୍ୟ ମିଶିଥିବାରୁ  ସେ ସଂଗେ ସଂଗେ ଅଚେତ ହୋଇଯାଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ସେଠାରୁ ଏକ ନିର୍ଜନ ସ୍ଥାନକୁ  ନେଇ ଗଣଦୁଷ୍କର୍ମ କରିଥିଲେ ଏବଂ ପରେ ଏକ ବସ୍‌ଷ୍ଟାଣ୍ଡ୍‌ରେ ନେଇ ଛାଡ଼ି ଦେଇଥିଲେ। ଅଭିଯୁକ୍ତମାନେ  ଏଭଳି କାଣ୍ଡ ଘଟାଇବାପରେ ପୀଡ଼ିତାଙ୍କ ବାପା ମା’ଙ୍କୁ ଫୋନ୍‌ କରି ଝିଅ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଥିବା ଜଣାଇଥିଲେ।

ପରେ ପୀଡ଼ିତାଙ୍କ ଭାଇ ତାଙ୍କୁ ଯାଇ ଘରକୁ ଆଣିଥିଲେ।  ସମସ୍ତ ଅଭିଯୁକ୍ତ  ଏବେ ବି ଫେରାର୍‌ ଅଛନ୍ତି।  ଅତିରିକ୍ତ ପୁଲିସ ଡିଜି ଏ ଏସ୍‌ ଚାଓ୍ଵଲା କହିଛନ୍ତି,  ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ  ପୀଡ଼ିତାଙ୍କ ବାପା ମା’ ଅଭିଯୋଗ କରିଛନ୍ତି ଯେ ପୁଲିସ ପ୍ରାରମ୍ଭରେ ସେମାନଙ୍କ ଏଫଆଇଆର ରଖିନଥିଲା। ସେମାନଙ୍କୁ ଏଫଆଇଆର ରୁଜୁ କରିବାପାଇଁ   ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା।    ପ୍ରଥମେ ରେଓ୍ଵାରି ଜିଲ୍ଲାରେ  ଏଫ୍‌ଆଇଆର ରୁଜୁ ହୋଇଥିଲା ଏବଂ ପରେ ଏହାକୁ କନିନାକୁ ସ୍ଥାନାନ୍ତର କରାଯାଇଛି।

ପୀଡ଼ିତାଙ୍କ ମା’ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ବେଟି ବଚାଓ ବେଟି ପଢ଼ାଓ’ କଥା କହୁଛନ୍ତି। କିନ୍ତୁ ଝିଅକୁ ଶିକ୍ଷିତ କରିବାକୁ ହେଲେ ଏମିତି ମୂଲ୍ୟ ଦେବାକୁ ପଡ଼େ। ଅଭିଯୁକ୍ତମାନେ ଗିରଫ ନହୋଇ ଖୋଲାରେ ବୁଲୁଛନ୍ତି। କିନ୍ତୁ ପୁଲିସ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ମୋ ଝିଅକୁ ନ୍ୟାୟ ଦରକାର ବୋଲି ପୀଡ଼ିତାଙ୍କ ମା’ ଦାବି କରିଛନ୍ତି।

ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏଥିପାଇଁ ୨ଟି ସ୍ୱତନ୍ତ୍ର ଟିମ୍‌୍‌ ଗଠନ କରାଯାଇଛି। ତେବେ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଉଠିଛି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି  ଏବଂ ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା କହିଛନ୍ତି, ରାଜ୍ୟରେ ଏବେ ଅପରାଧୀଙ୍କ ରାଜ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ଅଧିକାର ଖଟ୍ଟର ହରାଇଛନ୍ତି।

By amfnews

Related Post