Tue. Oct 13th, 2026

‘ସିଏଏ’ ବିରୋଧୀ ପ୍ରତିବାଦକାରୀମାନେ ରାସ୍ତା ଅବରୋଧ କରିବାରୁ ହେଲିକପ୍ଟର୍‌ରେ ୫ କିଲୋମିଟର ଗଲେ ଆସାମର ଅର୍ଥମନ୍ତ୍ରୀ

359 Views

ଗୌହାଟି: ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନେ ରବିବାର ଦିନ ରାସ୍ତା ଅବରୋଧ କରିବାରୁ ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ୫ କିଲୋମିଟର ବାଟ ହେଲିକପ୍ଟର୍‌ ଯୋଗେ ଯିବାକୁ ପଡ଼ିଲା।

ଶନିବାର ଦିନ ହେଲିକପ୍ଟର୍‌ ଯୋଗେ ସେ ଗୌହାଟିରୁ ଯାଇ ତେଜପୁରରେ ପହଞ୍ଚିଥିଲେ। ସେଠାରୁ ଘୋରମାରି ଠାରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସଡ଼କ ପଥରେ ଯାଇ ଥାଆନ୍ତେ। କିନ୍ତୁ, ‘ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌’ ରାସ୍ତା ଅବରୋଧ କରିଥିବାରୁ ସେ ଯାଇ ପାରିଲେ ନାହିଁ। ମନ୍ତ୍ରୀଙ୍କ ଗସ୍ତ ଏବଂ ସଂଶୋଧିତ ନାଗରିକତା ଆଇନକୁ ବିରୋଧକରି ସ୍ଲୋଗାନ୍‌ ଦେବା ସହ ପ୍ରତିବାଦକାରୀମାନେ ତେଜପୁର ଓ ଘୋରମାରି ମଧ୍ୟସ୍ଥ ୧୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଶେଷରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଶର୍ମାଙ୍କୁ ହେଲିକପ୍ଟର୍‌ ଯୋଗେ ଯିବାକୁ ପଡ଼ିଲା। ରାଜ୍ୟରେ ସମ୍ପ୍ରତି ଉପୁଜିଥିବା ପରିସ୍ଥିତି ଲାଗି ବିରୋଧୀ ଦଳ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

ରାଜ୍ୟବ୍ୟାପୀ ‘ସିଏଏ’ ବିରୋଧୀ ପ୍ରତିବାଦ ଚାଲିଥିବା ବେଳେ ଆସାମ କ୍ୟାବିନେଟ୍‌ ସମସ୍ତ ସ୍କୁଲ୍‌ରେ ଅହମିୟା ଭାଷାକୁ ବାଧ୍ୟତାମୂଳକ କରିଛି ଓ ଆସାମର ମୂଳ ବାସିନ୍ଦାଙ୍କର ଜମି ଅଧିକାର ସୁରକ୍ଷିତ ରଖିବାକୁ ଆଇନ ପ୍ରଣୟନ କରିଛି।

By amfnews

Related Post