Thu. Oct 1st, 2026

ସାମୁଦ୍ରିକ ବାତ୍ୟା ‘ବାୟୁ’ ପାଇଁ ରେଡ୍‌ ଆଲର୍ଟ ଜାରି କଲା ଆଇଏମ୍‌ଡି

339 Views

ନୂଆଦିଲ୍ଲୀ : ଘଣ୍ଟା ପ୍ରତି ୧୩୫ କିଲୋମିଟର ବେଗ ପବନ ଝାଙ୍କ ଏବଂ ୧. ୫ ମିଟର ଉଚ୍ଚ ଢେଉ ସହ ଗୁରୁବାର ପ୍ରତ୍ୟୁଷରେ ତୀବ୍ର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଭାବେ ‘ବାୟୁ’ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ସୌରାଷ୍ଟ୍ର ଏବଂ କଚରେ ରେଡ୍‌ ଆଲର୍ଟ ଜାରି କରି ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦିନ କହିଛି।

ସମ୍ପ୍ରତି କୋଙ୍କଣ ଉପକୂଳରେ ଥିବା ଏହି ସାମୁଦ୍ରିକ ବତାସ ଉତ୍ତରମୁହାଁ ହେଉଛି। ପୋରବନ୍ଦର ଓ ମହୁଓ୍ଵା ମଧ୍ୟରେ ଏହା ସୌରାଷ୍ଟ୍ର ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ଛଡ଼ା ଛପରଘର, ଦୁର୍ବଳ କୋଠାବାଡ଼ି, ବିଜୁଳି ଏବଂ ଗଛବୃଚ୍ଛ ଆଦି କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ କହିଛି।

କଚ, ଦେବଭୂମି ଦ୍ୱାରକା, ପୋରବନ୍ଦର, ରାଜକୋଟ, ଜୁନାଗଡ଼, ଡିଉ, ଗିର ସୋମନାଥ, ଆମରେଲି ଏବଂ ଭାବନଗର ଆଦି ଜିଲ୍ଲା ସବୁ ବାତ୍ୟା ଯୋଗୁଁ ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି। ଛାତ ଉପରିଭାଗ ଏବଂ ସଂଯୁକ୍ତ ହୋଇ ନ ଥିବା ଧାତବ ଚାଦର ସବୁ ଉଡ଼ିଯାଇ ପାରେ ବୋଲି ଆଲର୍ଟରେ ଚେତାବନୀ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଫସଲ ହାନି ହେବ ବୋଲି ମଧ୍ୟ ଏଥିରେ କୁହାଯାଇଛି।

ମଙ୍ଗଳବାର ଦିନ ଗଭୀର ଅବପାତରୁ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପାଲଟି ଥିବା ‘ବାୟୁ’ ବୁଧବାର ଦିନ ଭୀଷଣ ସାମୁଦ୍ରିକ ବତାସ ପାଲଟିବ। ସ୍ଥଳଭାଗରେ ପହଞ୍ଚିବା ପରେ ଯାଇ ତାହା ଦୁର୍ବଳ ହେବ। କିନ୍ତୁ ଏଥିଯୋଗୁଁ ଶୁକ୍ରବାର ଦିନ ସୌରାଷ୍ଟ୍ର ଏବଂ କଚରେ ପ୍ରବଳ ବର୍ଷ ହେବ।

By amfnews

Related Post