Sat. Oct 17th, 2026

ସାନିଟାଇଜର, ହ୍ୟାଣ୍ଡଓ୍ଵାସ୍‌ ଓ ଭେଣ୍ଟିଲେଟରର ରପ୍ତାନି ଉପରେ କଟକଣା ଲଗାଇଲେ ସରକାର

248 Views

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ କୋଭିଡ୍‌-୧୯ର ଆତ୍ମପ୍ରକାଶ ପରେ ଏବେ ଦେଶରେ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜରର ଚାହିଦା ବହୁ ମାତ୍ରରେ ବଢ଼ି ଯାଇଛି। କାରଣ, କୋଭିଡ୍‌-୧୯ରୁ ରକ୍ଷା ପାଇବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ କେବଳ ମାତ୍ର ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜରରେ ପ୍ରତ୍ୟେକ ବ୍ୟକ୍ତିକୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ଦିଆଯାଇଛି। ତେଣୁ, ଦେଶର ଚାହିଦାକୁ ଦୃଷ୍ଟିରେ ରଖି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ବା ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ (ଡିଜିଏଫ୍‌ଟି) ବର୍ତ୍ତମାନ ପାଇଁ ଦେଶରୁ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜରର ବାହାର ଦେଶକୁ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଛନ୍ତି।

ସେହିପରି କାଳେ ଆଗାମୀ ଦିନରେ ଦେଶରେ ଅଧିକ ସଂଖ୍ୟକ ଭେଣ୍ଟିଲେଟର ଶଯ୍ୟାର ଆବଶ୍ୟକତା ପଡ଼ିବ, ସେହି ଆଶଙ୍କାରେ ସମସ୍ତ ପ୍ରକାରର ଭେଣ୍ଟିଲେଟର ଶଯ୍ୟା, କୃତ୍ରିମ ଉପାୟରେ ଅକ୍ସିଜେନ୍‌ ନେବା ପାଇଁ ସମସ୍ତ ସରଞ୍ଜାମର ବାହାର ଦେଶକୁ ରପ୍ତାନି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି ଡିଜିଏଫ୍‌ଟି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମାସ୍କ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ପଡ଼ୁଥିବା ସମସ୍ତ ପ୍ରକାରର କଞ୍ଚାମାଲର ବିଦେଶକୁ ରପ୍ତାନ୍ତି ଉପରେ ଡିଜିଏଫ୍‌ଟିଙ୍କ ପକ୍ଷରୁ ନିଷେଧାଦେଶ ଲଗାଯାଇ ସାରିଛି।

By amfnews

Related Post