Sat. Apr 25th, 2026
344 Views

ଭୁବନେଶ୍ୱର, 24 Jan. 2019: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାରୁ କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍‌) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍‌ସରେ ରାଷ୍ଟ୍ରପତି ପଦକ ପାଇବାକୁ ଓଡ଼ିଶାର ଅମୂଲ୍ୟ କୁମାର ସମର୍ଥା (ସିଡି, ଭଲ୍ୟୁଣ୍ଟିୟର) ମନୋନୀତ ହୋଇଛନ୍ତି। ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍‌ସ ପଦକ ପାଇବାକୁ ବିମଳ ପ୍ରସାଦ ପାଣି (ସିଡି, ଭଲ୍ୟୁଣ୍ଟିୟର), ପ୍ରକାଶ କୁମାର ଜେନା (ସିଡି, ଭଲ୍ୟୁଣ୍ଟିୟର) ଏବଂ ଅଭିନ୍ନ ମୋହନ ସାମନ୍ତରାୟ (ହୋମଗାର୍ଡ) ମନୋନୀତ ହୋଇଛନ୍ତି।

୮୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ଏଥି ସହିତ ୫୮ ଜଣଙ୍କୁ ହୋମଗାର୍ଡ ଓ ସିଭିଲ ଡିଫେନ୍‌ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍‌ସ ପଦକ ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍‌ସ ପଦକ ପ୍ରଦାନ କରାଯିବ।

By amfnews

Related Post