Sun. Jun 14th, 2026

ସମୁଦ୍ର ବେଳାଭୂମି ବେପାର ଉପରେ ଚୁପ୍ : ଗରିବଙ୍କୁ ନାଲିଆଖି, ପ୍ରଭାବଶାଳୀଙ୍କୁ ମାଫ୍

201 Views

ପୁରୀ : ପୁରୀକୁ ଏକ ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳିବା ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ଏବେ ପ୍ରଥମ ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଛି। ବଡ଼ଦାଣ୍ଡରୁ ଆରମ୍ଭ କରି ସମୁଦ୍ରକୂଳ ପର୍ଯ୍ୟନ୍ତ ଯେତେ ଅବରୋଧ, ବେଆଇନ ନିର୍ମାଣ ହୋଇଛି ସେସବୁକୁ ଉଚ୍ଛେଦ କରୁଛି ପ୍ରଶାସନ। ଜବରଦଖଲ କରିଥିବା ବ୍ୟକ୍ତି ବା ଅନୁଷ୍ଠାନ, ଯେତେ ବଡ଼ ହୁଅନ୍ତୁ ନା କାହିଁକି ଶ୍ରୀକ୍ଷେତ୍ରର ବିକାଶ ପାଇଁ କାହାକୁ ଛଡ଼ାଯିବନି ବୋଲି ଖୋଦ୍‌ ଜିଲ୍ଲାପାଳ ରୋକଠୋକ୍‌ ଶୁଣାଇଛନ୍ତି। ନିକଟରେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଶାସନ ବେଳାଭୂମିରେ ଡୋଜର୍‌ ଲଗାଇ ଦୁଇଟି ମନ୍ଦିର ସହିତ ହୋଟେଲ ଯାତ୍ରିକାକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି।

ଅନ୍ୟପକ୍ଷ‌େର ବେଳାଭୂମିକୁ ଜବରଦଖଲ କରି ‌ହୋଟେଲ ବ୍ୟବସାୟ କରୁଥିବା ପୁରୀର କିଛି ପ୍ରତିଷ୍ଠିତ ହୋଟେଲ ନିଜର ଅଧିକୃତ ଜମିଠାରୁ ଢେର ଆଗକୁ ମାଡି ଆସି ବ୍ୟବସାୟ କରୁଛନ୍ତି। ସାମାନ୍ୟ କିଛି ରାଜସ୍ବ ବଦଳରେ ଏମାନେ ବେଳାଭୂମିକୁ ବର୍ଷତମାମ୍‌ ନିଜ ଅକ୍ତିଆରରେ ରଖିବା ସହ ବିବାହବ୍ରତ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟ ବାବଦରୁ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି। କିନ୍ତୁ ଏମାନଙ୍କୁ ହାତ ମାରିବାକୁ ସାହସ କରିପାରୁନି ପ୍ରଶାସନ। ବଡ଼ଦାଣ୍ଡରୁ ଉଚ୍ଛେଦ ବେଳେ ୮୦୦ ଉଠା ଦୋକାନକୁ ଗୋଟିଏ ଚୁଟ୍‌କିରେ ହଟାଇ ଦେଇଥିଲା ପ୍ରଶାସନ। ଅଥଚ ବଡ଼ ହୋଟେଲ ବ୍ୟବସାୟୀଙ୍କୁ ଗେହ୍ଲାପୁଅ ଦୃଷ୍ଟିରେ ଦେଖିବା ନେଇ ବୁଦ୍ଧିଜୀବୀମାନେ ସରକାରୀ କଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏ ନେଇ ଆଗକୁ ଜିଲ୍ଲାପାଳ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।

By amfnews

Related Post