Mon. Sep 14th, 2026

ସବୁ ବସ୍‌ଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

293 Views

ଭୁବନେଶ୍ବର : ରାଜ୍ୟର ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ପକ୍ଷରୁ ମାଗଣାରେ ୱାଇଫାଇ ସେବା ଉପଲବ୍ଧ ହେବା ପରେ ଏବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ପ୍ରମୁଖ ବସ୍‌ଷ୍ଟାଣ୍ଡରେ ମାଗଣାରେ ୱାଇଫାଇ ସେବା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବରମୁଣ୍ଡା, ବାଦାମବାଡ଼ି, ପୁରୀ, ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ସମେତ ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ଥିବା ବସ୍‌ଷ୍ଟାଣ୍ଡଗୁଡ଼ିକରେ ମାଗଣା ୱାଇଫାଇ ସେବା ଆରମ୍ଭ ହେବ। ଏହାସହ ଓଏସ୍ଆରଟିସି ମୁଖ୍ୟାଳୟ ଏବଂ ଜିଲ୍ଲା ପରିବହନ କାର୍ଯ୍ୟାଳୟଗୁଡ଼ିକରେ ବି ୱାଇଫାଇ ସେବା ଉପଲବ୍ଧ ହେବ।

ୱାଇଫାଇ ସେବା ତୁରନ୍ତ ଆରମ୍ଭ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଏକ ଜରୁରିକାଳୀନ ବୈଠକ ଡକାଯାଇଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କିପରି ରେଳଷ୍ଟେସନଗୁଡ଼ିକରେ ମାଗଣା ୱାଇଫାଇ ସେବା ଯୋଗାଉଛନ୍ତି ସେନେଇ ଆଲୋଚନା କରିବାକୁ ରେଲ୍‌ଟେଲ୍ ନିଗମର ସହ ମହାପ୍ରବନ୍ଧକ, ବିଏସ୍‌ଏନ୍‌ଏଲ୍‌ର ମହାପ୍ରବନ୍ଧକ (ସିଏଫ୍‌ଏ)ଙ୍କୁ ଡକାଯାଇଛି। ଯଦି ବିଏସ୍‌ଏନ୍‌ଏଲ୍‌ ୱାଇଫାଇ ସେବା ଯୋଗାଇବାକୁ ରାଜି ହେବ ତେବେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯିବ। ନଚେତ୍ ବିଭିନ୍ନ ଘରୋଇ ଟେଲିକମ୍‌ ସଂସ୍ଥାଙ୍କୁ ଡାକି ୱାଇଫାଇ ସେବା ଯୋଗାଇବା ନେଇ ଆଲୋଚନା ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

By amfnews

Related Post