Sat. Jul 25th, 2026

ସତ୍ୟପାଠ ଦେଲା ପ୍ରଶାସନ, ମାତ୍ର ୩୬ ସେବକରେ ଚାଲିପାରିବ ଶ୍ରୀମନ୍ଦିର

267 Views

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ମାତ୍ର ୩୬ ଜଣ ସେବକ ଆବଶ୍ୟକ। ୨୬ ପ୍ରକାରର ୩୬ ସେବକଙ୍କୁ ନେଇ ଚାଲିପାରିବ ଶ୍ରୀମନ୍ଦିର। ଅଧିକ ସେବକଙ୍କର ଆବଶ୍ୟକତା ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପ୍ରିମ୍‌କୋର୍ଟଙ୍କୁ ଏହା ଜଣାଇଛନ୍ତି।

ଶ୍ରୀମନ୍ଦିରରେ ଏବେ ୨୫ ଶହ ସେବକ ସେବାରେ ନିୟୋଜିତ ଅଛନ୍ତି। ପ୍ରତିଦିନ ଅନ୍ୟୂନ ୧୨୦ ଜଣ ସେବକଙ୍କୁ ଠାକୁରଙ୍କ ସେବାରେ ନିୟୋଜିତ କରାଯାଉଛି। ହେଲେ ଏତେ ସେବକଙ୍କ ଆବଶ୍ୟକତା ନାହିଁ। ଏ କଥା ଖୋଦ୍‌ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦର୍ଶାଇଛନ୍ତି। ଠାକୁରଙ୍କ ରୀତିନୀତି ଓ ସେବା ପୂଜାରେ ନିୟୋଜିତ ସେବକମାନଙ୍କୁ ଅନୁଧ୍ୟାନ କରିବା ପରେ ମୋଟ ୩୬ ଜଣ ସେବକଙ୍କ ଆବଶ୍ୟକତା ଥିବା ଉଭୟ କମିଟି ଓ ମୁଖ୍ୟ ପ୍ରଶାସକ ଦର୍ଶାଇଛନ୍ତି।

ଏହି ହିସାବ ଅନୁଯାୟୀ ଦ୍ବାରଫିଟାଠାରୁ ପହୁଡ଼ ପର୍ଯ୍ୟନ୍ତ ସମସ୍ତ ନୀତି କରିବା ପାଇଁ ଜଣେ ମାତ୍ର ଦେଉଳ ପୁରୋହିତ, ୩ ଜଣ ପୂଜାପଣ୍ଡା, ୩ ଜଣ ପୁଷ୍ପାଳକ, ଜଣେ ପୁରାଣ ପଣ୍ଡା, ଜଣେ ଜ୍ୟୋତିଷ, ଜଣେ ଭିତରଚ୍ଛ ମହାପାତ୍ର, ଜଣେ ଭଣ୍ଡାର ମେକାପ, ଜଣେ ଚାଙ୍ଗଡ଼ା ମେକାପ, ଜଣେ ପତ୍ରୀବଡ଼ୁ, ଜଣେ ଖୁଣ୍ଟିଆ, ଜଣେ ଘଟୁଆରୀ, ଜଣେ ଅମିନ ମହାସୁଆର, ଜଣେ ପାଳିଆ ମହାସୁଆର, ୨ ଜଣ ଅନ୍ୟ ସୁଆର, ୪ ଜଣ କୋଠଭୋଗ ସୁଆର ବା ପାଳିଆ ସୁଆର, ଜଣେ ସୁଆରବଡ଼ୁ, ଜଣେ ପାଣିଆ ଆପଟ, ଜଣେ ଧୋପଖାଳ ସେବକ, ୩ ଜଣ ପ୍ରତିହାରୀ, ଲୁଗାଧୂଆ ଓ ପାଣିକୁଣ୍ଡରେ ଜଣେ ସେବକ, ମହୁରିଆ, କାହାଳିଆ, ଘଣ୍ଟୁଆ, ବୈଜୟନ୍ତୀ, ବୀଣାକାର ଜଣେ ଲେଖା ଆବଶ୍ୟକ। ଏହାବ୍ୟତୀତ କୌଣସି ସେବକଙ୍କ ଆବଶ୍ୟକତା ପଡ଼ୁନଥିବା ଦର୍ଶାଯାଇଛି। ଏବେ ୧୨୦ ଜଣ ଦୈନିକ ସେବା କରୁଥିବା ବେଳେ ମୋଟ ୨୫ ଶହ ଶାଢ଼ୀବନ୍ଧା ସେବକ ରହିଛନ୍ତି।

By amfnews

Related Post