Mon. Sep 7th, 2026

ଶ୍ରୀଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ବୈଠକ; ମାଉସୀ ମା’ ଛକରେ ଅଟକିବ ଚାରି ଚକିଆ ଯାନ

241 Views

ଭୁବନେଶ୍ୱର :  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରରେ ସମ୍ପାଦାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଭଗବାନଙ୍କ ଦର୍ଶନ କରିପାରିବେ ସେ ନେଇ  ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି।

ପ୍ରଥମତଃ ବ୍ୟାରିକେଡ ଦେଇ ଆସିବା ପରେ ସିଂହଦ୍ୱାରରେ ସାଧାରଣ ଭକ୍ତ ପ୍ରବେଶ କରିବେ। ହେଲେ ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଆସିବେ। ସୌନ୍ଦର୍ଯ୍ୟକରଣ ପରେ ସବୁ ଅଞ୍ଚଳରେ ଆଲୋକୀକରଣ ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି।  ଜଳଯୋଗାଣ, ସ୍ୱଚ୍ଛତା, ଧାଡି ଦର୍ଶନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି ।

ବିଏମସି ମାର୍କେଟ ସମ୍ମୁଖ, ଉତ୍ତର ଦ୍ୱାର ନିକଟରେ ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି। ମାଉସୀ ମା’ ଛକରୁ ଚାରି ଚକିଆ ଯାନ ବନ୍ଦ ରହିବ। ବଢେଇବାଙ୍କ ଛକ ଭିତରକୁ ଦୁଇ ଚକିଆ ଯାନ ଛଡ଼ାଯିବ ନାହିଁ। ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ବୈଠକରେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ,ଡିସିପି ଅନୁପ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଟ୍ରାଫିକ ଡିସିପି ସାଗରିକା ନାଥ ଓ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ବ୍ରାହ୍ମଣ ନିଯୋଗ ସମିତି ସାମିଲ ହୋଇନଥିଲା । ହେଲେ ନୀତିକାନ୍ତିରେ ପ୍ରଶାସନକୁ ସହଯୋଗ କରିବା ନେଇ କହିଛି ସମିତି । ଏକଜିକ୍ୟୁଟିଭ ଅଫିସରଙ୍କ ବଦଳି ହୋଇସାରିଥିଲେ ବି ସ୍ଥାନାନ୍ତର ହୋଇନାହାନ୍ତି । ତାଙ୍କର ବଦଳି ଓ ପୂର୍ବରୁ ଥିବା ପରମ୍ପରାକୁ ଫେରାଇ ଆଣିବା ପାଇଁ ଦାବି କରିଛି ସମିତି।

By amfnews

Related Post