Tue. Sep 22nd, 2026

ଶିକ୍ଷାର୍ଥୀଙ୍କ ଆକ୍ରୋଶରେ ପୁଣି ହଟହଟା ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

243 Views

କୋଲକାତା: ନାଗରିକତା ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ଜଗଦୀପ ଆସୁଥିଲେ ହେଁ ତାଙ୍କ କାରକୁ ଛାତ୍ରଛାତ୍ରୀମାନେ ଘେରି ଯାଇ କଳା ପତାକା ପ୍ରଦର୍ଶନ କରିଥିଲେ।

ଏପରି କି ସେମାନେ ନାରାବାଜି କରି ରାଜ୍ୟପାଳଙ୍କୁ ବିରୋଧ କରିଥିଲେ। ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀମାନେ ତାଙ୍କ କାରକୁ ଘେରି ରହିବାରୁ ସେ ବିଶ୍ୱବିଦ୍ୟାଳୟକୁ ଯାଇ ପାରି ନଥିଲେ। ଏହାପରେ ପୁଲିସ୍‌ ବଳପୂର୍ବକ ଛାତ୍ରଛାତ୍ରୀଙ୍କୁ ହଟାଇ ଥିଲା। ଛାତ୍ରଛାତ୍ରୀଙ୍କ ବିରୋଧ ମଧ୍ୟରେ ରାଜ୍ୟପାଳ ବହୁ କଷ୍ଟରେ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ।

ଛାତ୍ରଛାତ୍ରୀମାନେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିଲେ ହେଁ ରାଜ୍ୟପାଳ ଏହି ଆଇନ ସପକ୍ଷରେ ମତଦେଇଥିଲେ। ତେଣୁ ଛାତ୍ରଛାତ୍ରୀମାନେ ତାଙ୍କୁ ଜୋରଦାର ବିରୋଧ କରୁଛନ୍ତି। ରାଜ୍ୟପାଳ ଜଗଦୀପ ହେଉଛନ୍ତି ଯାଦବପୁର ବିଶ୍ୱବିଦ୍ୟାଳୟର କୁଳାଧିପତି। ତେଣୁ ତାଙ୍କୁ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସପରେ ଉଦବୋଧନ ଦେବାକୁ ନିମନ୍ତ୍ରଣ କରାଯାଇଥିଲା।

ସେ ଏଥିରେ ଯୋଗଦେଇଥିଲେ ହେଁ ତାଙ୍କୁ କହିବାର କିମ୍ବା ପୁରସ୍କାର ପ୍ରଦାନ କରିବାର ସୁଯୋଗ ମିଳି ନଥିଲା। ସୋମବାର ମଧ୍ୟ ସେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିଲା ବେଳେ ଛାତ୍ରଛାତ୍ରୀମାନେ ତାଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ।

By amfnews

Related Post