Sat. Apr 25th, 2026

ଶିକାରୀ କଲରାପତ୍ରିଆ ସହ ଶୌଚାଳୟରେ ଦୁଇ ଘଣ୍ଟା ବନ୍ଦ ରହିବା ପରେ ସଶରୀର ଫେରିଲା କୁକୁର

157 Views

ମୁମ୍ବାଇ  : ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ କଲରାପତ୍ରିଆ ସହ ଗୋଟିଏ ଶୌଚାଳୟ ମଧ୍ୟରେ ବନ୍ଦ ହୋଇ ରହିଥିବା କୁକୁରଟିଏ ଦୁଇ ଘଣ୍ଟା ପରେ ଅକ୍ଷତ ଅବସ୍ଥାରେ ସେଠାରୁ ବାହାରି ଆସିବା ଘଟଣା ସର୍ବସାଧାରଣଙ୍କୁ ଆଚମ୍ବିତ କରିଛି।

ସମୟ ଥିଲା ବୁଧବାର ଭୋର୍‌ ୫ଟା। ପୋଷା କୁକୁରର ଭୀଷଣ ଭୁକା ଶୁଣି ସଙ୍ଗମେଶ୍ୱର ଅନ୍ତର୍ଗତ ଦେବେଲ୍‌ ଗ୍ରାମର ଅଶୋକ ତୁକାରମ କାମ୍ବଲେ ଘରୁ ବାହାରି ଆସିଲେ। ଜଙ୍ଗଲ ପାଖରେ ଘର ତୋଳିଥିବା କାମ୍ବଲେ ଦେଖିଲେ କଲରାପତ୍ରିଆଟାଏ ତାଙ୍କ କୁକୁରକୁ ଗୋଡ଼ାଉଛି। ଜୀବନ ବିକଳେ କୁକୁର ବିଚରା ଘର ଠାରୁ ଖଣ୍ଡେ ଦୂରରେ ଥିବା ଶୌଚାଳୟ ମଧ୍ୟରେ ପଶିଗଲା; ପଛେ ପଛେ କଲରାପତ୍ରିଆ ବି। କାମ୍ବଲେ ଯାଇ ଚଟାପଟ୍‌ ବାହାର ପଟୁ ଶୌଚାଳୟ କବାଟ କିଳି ଦେଲେ।

କଥା ପ୍ରଘଟ ହେବା କ୍ଷଣି କିଛି ଗ୍ରାମବାସୀ ଗାଁ’ରେ କଲରାପତ୍ରିଆ ପଶିଥିବା କଥା ବନ ବିଭାଗକୁ ଜଣାଇ ଦେଲେ। ସକାଳ ପ୍ରାୟ ୭ଟା ବେଳେ ବନ ବିଭାଗର କର୍ମଚାରୀମାନେ ଯନ୍ତା ଏବଂ ଅନ୍ୟାନ୍ୟ ସମାଗ୍ରୀ ଧରି ଘଟଣାସ୍ଥଳରେ ପହଞ୍ଚିଗଲେ। ଶୌଚାଳୟ ଦୁଆକୁ ଯନ୍ତା ଭିଡ଼ାଇ ରଖି ସେମାନେ ସେ ବଡ଼ ମାର୍ଜାରଟିକୁ ଧରିବାରେ ସମର୍ଥ ହେଲେ।

ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବଣରେ ଛାଡ଼ି ଦିଆଗଲା। ପୋଷା କୁକୁରଟି ଆଉ ଜୀବନରେ ନ ଥିବ ଭାବି ଦୁଃଖ କରୁଥିବା ଖାଉନ୍ଦ ପାଖକୁ ଶୌଚାଳୟ ମଧ୍ୟରୁ ସଶରୀର ଧାଇଁ ଆସି ଆନନ୍ଦରେ ଲାଞ୍ଜ ହଲାଇଲା।

By amfnews

Related Post