Sun. Oct 18th, 2026

ଲୋ‌କସେବା ଭବନରେ ସମୀକ୍ଷା ବୈଠକ, ଆସ୍କା ସମବାୟ ଚିନି କଳକୁ ଲାଭଜନକ କରାଯିବ

184 Views

ଭୁବନେଶ୍ବର : ଆସ୍କା ଚିନି କଳ ଲାଭଜନକ ସଂସ୍ଥାରେ ପରିଣତ ହେବ ଓ ଏକ ସ୍ବୟଂସମ୍ପୂର୍ଣ୍ଣ ସଂସ୍ଥା ଭାବେ ଚାଲିବ। ସେଥି ନିମନ୍ତେ ପରିଚାଳନା କମିଟି ୭ ଦିନ ଭିତରେ ଶ୍ରମିକ ୟୁନିଅନ୍ ଓ ସ୍ଥାନୀୟ ପ୍ରଶାସନ ସହ ବୈଠକ କରି ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରିବ। ଏହାକୁ ସରକାରଙ୍କ ନିକଟରେ ଦାଖଲ କଲେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସମବାୟ ମନ୍ତ୍ରୀ ର‌େଣନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆସ୍କା ସମବାୟ ଚିନି କଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଡକାଯାଇଥିଲା। ସମବାୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଗତ ୫ ବର୍ଷର ଚିନି ଉତ୍ପାଦନର ଖର୍ଚ୍ଚ ବିବରଣୀ ଓ ଅଡିଟ୍‌ ରିପୋର୍ଟ ଦାଖଲ କରିବାକୁ ପରିଚାଳନା ନିର୍ଦ୍ଦେଶକଙ୍କୁ କୁହାଯାଇଥିଲା। ଏହା ସହିତ ଆଖୁରୁ ଅଧିକ ଚିନି ଉତ୍ପାଦନ କରିବା ନିମନ୍ତେ ଉନ୍ନତ ମାନର ଆଖୁ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ଠିକ୍ ସମୟରେ ଆଖୁ ପେଡ଼ିବା, ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଅଧିକ ଜମିରେ ଆଖୁ ଚାଷ, ଆଖୁ ଚାଷୀମାନଙ୍କୁ ନିୟମିତ ଆଖୁର ମୂଲ୍ୟ ପ୍ରଦାନ ଏବଂ ଇଥାନଲ୍‌ ଉତ୍ପାଦନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ କୃଷି ଉତ୍ପାଦନ କମିସନର୍ ପ୍ରଦୀପ୍ତ କୁମାର ମହାପାତ୍ର, ସମବାୟ ବିଭାଗର ସଚିବ ବୀରବିକ୍ରମ ଯାଦବ, ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ, ସମବାୟ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ଆସ୍କା ସମବା‌ୟ ଚିନିକଳର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କ ସମେତ ଆସ୍କା ଚିନିକଳ କର୍ମଚାରୀ ସଂଘର ସଭାପତି ରାମକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ।

By amfnews

Related Post