Sat. Aug 15th, 2026

ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ପାଇଁ ସ୍ୱତନ୍ତ୍ର ନୀତି ଆସିବ

240 Views

ଭୁବନେଶ୍ବର : ଲଘୁ ଖଣିଜ ଦ୍ରବ୍ୟକୁ ଶୃଙ୍ଖଳିତ ଓ ନିରନ୍ତର ଭାବେ ସାଧାରଣ ଲୋକ ଓ ଶିଳ୍ପ କ୍ଷେତ୍ରକୁ ଯୋଗାଣ ପାଇଁ ଏକ ପ୍ରଗତିଶୀଳ ନୀତି ପ୍ରସ୍ତୁତ କରିବାକୁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏଥି ପାଇଁ ବିଭିନ୍ନ ରାଜ୍ୟର ଥିବା ନୀତିକୁ ତର୍ଜମା କରାଯାଉଛି। ଏ ସମ୍ପର୍କରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ଅନୁଧ୍ୟାନ କରିଥିବା ଅଧିକାରୀମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ସବୁ ରିପୋର୍ଟକୁ ଅନୁଧ୍ୟାନ କରି ଓଡ଼ିଶା ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ପ୍ରଗତିଶୀଳ ନୀତି ପ୍ରସ୍ତୁତ କରିବାକୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ କହିଥିଲେ, ବାଲି, ମୋରମ୍, ଚିପ୍‌ ପରି ଲଘୁ ଖଣିଜକୁ ନିୟନ୍ତ୍ରିତ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତହସିଲ୍‌ଦାରଙ୍କ ଦ୍ବାରା ସଇରାତଗୁଡ଼ିକ ପରିଚାଳନା ଓ ତଦାରଖ କରାଯାଉଛି। କ୍ଷେତ୍ର ସ୍ତରରେ ଜ୍ଞାନ ଆହରଣ କରିବାକୁ ଅଧିକାରୀମାନଙ୍କ ଏକ ଦଳକୁ ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଓ କର୍ଣ୍ଣାଟକ ରାଜ୍ୟକୁ ପଠାଯାଇଥିଲା। ଏହି ଟିମ୍ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ଏକ ନୂଆ ନୀତି ପ୍ରଣୟନ କରିବାରେ ଏହି ରିପୋର୍ଟ ସହାୟକ ହେବ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ଆର୍‌ ଏନ୍ ପଲେଇ ଓ ଅତିରିକ୍ତ ସଚିବ ଅଭୟ ନାୟକଙ୍କ ନେତୃତ୍ବରେ ଗଠିତ ଟିମ୍ ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିଥିଲେ। ସ୍ବତନ୍ତ୍ର ସଚିବ ଶଶଧର ନାୟକଙ୍କ ନେତୃତ୍ବରେ ଗଠିତ ଟିମ୍ ତେଲେଙ୍ଗାନା ଓ କର୍ଣ୍ଣାଟକ ଗସ୍ତ କରିଥିଲେ। ସେମାନେ କ୍ଷେତ୍ରକୁ ଯାଇ ଓ ସେଠାକାର ଅଧିକାରୀମାନଙ୍କ ସହ ଆଲୋଚନା କରି ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ଆଣିଛନ୍ତି। ଆଜିର ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post