Wed. Sep 2nd, 2026

ରୁଷ୍‌ରେ ରକେଟ୍‌ ପରୀକ୍ଷା ବେଳେ ଅଘଟଣ: ୫ ମୃତ, ୩ ଆହତ

196 Views

ମସ୍କୋ  : ଶନିବାର ପ୍ରତ୍ୟୁଷରେ ରୁଷିଆର ରାଷ୍ଟ୍ରାୟତ ଆଣବିକ ଏଜେନ୍‌ସି ରୋସାଟମ୍‌ କହିଛି ଯେ ଉତ୍ତର ରୁଷ୍‌ର ଏକ ସାମରିକ ସ୍ଥଳୀରେ ‘ଲିକୁଇଡ୍‌ ପ୍ରୋପେଲାଣ୍ଟ୍‌ ରକେଟ୍‌ ଇଞ୍ଜିନ୍‌’ ପରୀକ୍ଷଣ ସମୟରେ ଦୁର୍ଘଟଣା ଘଟିବାରୁ ତା’ର ପାଞ୍ଚଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ଅଘଟଣରେ ଅନ୍ୟ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଆହତମାନଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି।

ପୂର୍ବରୁ ରୁଷୀୟ କର୍ତ୍ତୃପକ୍ଷମାନେ କହିଥିଲେ କି, ଗୁରୁବାର ଦିନ ଆର୍କାଙ୍ଗେଲ୍‌ସ୍କ ଅଞ୍ଚଳରେ ଥିବା ପରୀକ୍ଷଣସ୍ଥଳୀରେ ଗୋଟାଏ ରକେଟ୍‌ ଇଞ୍ଜିନ୍‌ ଫାଟି ଯିବାରୁ ଖେଳିଯାଇଥିବା ବିକିରଣ ଯୋଗୁଁ ନିକଟବର୍ତ୍ତୀ ସହରରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଶ୍ୱେତ ସାଗର ବନ୍ଦରର କିଛି ଅଂଶ ବନ୍ଦ କରିବାକୁ ସେମାନେ ବାଧ୍ୟ ହୋଇଥିଲେ। ବିକିରଣ ପ୍ରଭାବ ହ୍ରାସ କରିବାକୁ ସ୍ଥାନୀୟ ଲୋକମାନେ ଆୟୋଡିନ୍‌ ନେଇ ମହଜୁଦ ରଖୁଛନ୍ତି। ଅଘଟଣ ସମ୍ପର୍କରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ବିବୃତି ଦେଇ ନାହିଁ।

By amfnews

Related Post