Thu. Sep 3rd, 2026

ରାଷ୍ଟ୍ରପତି କୋବିନ୍ଦଙ୍କୁ ହତ୍ୟା କରିବାକୁ ଧମକ ଦେଇ କେରଳୀ ପୁରୋହିତ ଗିରଫ

259 Views

Aug 6, 2018

ତିରୁବନନ୍ତପୁରମ୍‌: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିବା କେରଳ ଅନ୍ତର୍ଗତ ତ୍ରିସୁରର ଜଣେ ମନ୍ଦିର ପୁରୋହିତଙ୍କୁ ସୋମବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି। ରାଷ୍ଟ୍ରପତି କୋବିନ୍ଦ ତିନିଦିନିଆ କେରଳ ଗସ୍ତରେ ଅଛନ୍ତି।

ଚିରକ୍କାଲ ଭଗବତୀ ମନ୍ଦିରର ପୁରୋହିତ ପି ଜୟରମଣ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି କହିଥିଲେ କି, ମଙ୍ଗଳବାର ଦିନ ରାଷ୍ଟ୍ରପତି ଯେଉଁଠି ସଭା କରିବାକୁ ନିର୍ଦ୍ଧାରଣ କରାଯାଇଛି ସେଠାରେ ସେ ଗୋଟାଏ ବୋମା ଖଞ୍ଜିବେ।

ମଙ୍ଗଳବାର ଦିନ ତ୍ରିସୁରସ୍ଥିତ ସେଣ୍ଟ୍‌ ଟୋମାସ୍‌ କଲେଜର ଶତବାର୍ଷିକୀ ଉତ୍ସବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

କଲ୍‌ ଲୋକେସନ୍‌ ଠାବକରିବାର ଘଣ୍ଟାଏ ଭିତରେ ପୁଲିସ ଜୟରମଣଙ୍କୁ ଗିରଫ କରିଛି।

ନିଶାସକ୍ତ ଅବସ୍ଥାରେ ସେ ଫୋନ୍‌ କଲ୍‌ କରିଥିବା କଥା ପଚରା ଉଚୁରା ବେଳେ ପୁଲିସକୁ କହିଛନ୍ତି। କିନ୍ତୁ, ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ବୋଲି ତାଙ୍କ ଘର ଲୋକେ କହିଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ତାଙ୍କୁ ପଚରା ଉଚୁରା କରୁଛନ୍ତି।

ତିନିଦିନିଆ ଗସ୍ତରେ ଆସି ରବିବାର ଦିନ ପହଞ୍ଚିଛନ୍ତି। ଦିଲ୍ଲୀ ଫେରିଯିବା ପୂର୍ବରୁ ସେ ଗୁରୁବୟୁର୍‌ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ।

By amfnews

Related Post