Sun. Sep 6th, 2026

ରାମଲୀଲା ଜମି କବଜା ବିରୋଧରେ ରାମଙ୍କ ସହିତ ଧାରଣାରେ ବସିଗଲେ ପୂରା ବାନର ସେନା

976 Views

ବାରଣାସୀ, ଅକ୍ଟୋବର୦୮: ବାରଣାସୀର ଚୋଲାପୁର ଇଲାକାରେ ସୋମବାର ସେହି ସମୟ ଚହଳ ପଡିଗଲା ଯେବେ  ରାମଲୀଲା ସମିତିର ଜମିକୁ କବଜା କରିବା ପ୍ରତିବାଦରେ ରାମ, ଲକ୍ଷ୍ନଣ, ହନୁମାନ ଓ ତାଙ୍କର ବାନର ସେନା ପଞ୍ଚାୟତ କାର‌୍ୟ୍ୟାଳୟରେ ଧାରଣାରେ ବସିଗଲେ। ଏହା ପରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଚୋଲାପୁର ପୋଲିସଠୁ ନିର୍ଦ୍ଧାରିତ ସ୍ଥଳରେ ରାମଲୀଲା ଆୟୋଜନ ହେବାର ଆଶ୍ଵାସନା ମିଳିବା ପରେ ବାନର ସେନା ଧାରଣାରୁ ହଟିଥିଲେ।

ରାମଲୀଲା ସମିତିର ଅଧ୍ୟକ୍ଷ ଡଃ. ସୁଭାଷ ପଟେଲ କହିଛନ୍ତି ଯେ ରାମଲୀଲା ସମିତିର ଗାଡି ଗାଁରେ ୧୬୫ ଡିସିମିଲ ଜମି ରହିଛି। ଯେଉଁଠି ପଞ୍ଚାୟତ ଭବନ, ରାମଲୀଲା ମଇଦାନ, ହନୁମାନ ମନ୍ଦିର ମେଳା ସ୍ଥଳ ରହିଛି।  ମାତ୍ର ଏହି ଜମିକୁ କିଛି ଲୋକ କବଜା କରିଛନ୍ତି।

ସୂଚନା ଦେବା ପରେ ମଧ୍ୟ ପୋଲିସ ଜମି କବଜା କରିଥିବା ଲୋକଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ନେଇ ନାହିଁ। ଫଳରେ ଅସନ୍ତୁଷ୍ଟ ରାମଲୀଲା ସମିତିର ସମସ୍ତ ସଦସ୍ୟ ପୂରା ବେଶଭୂଷାରେ ପଞ୍ଚାୟତ ଭବନରେ ପହଞ୍ଚି ସେଠାରେ ଧାରଣ ଦେଇଥିଲେ। ଏହି ଧାରଣା ପ୍ରଦର୍ଶନରେ ରାମଲୀଲା ସମିତିର ପଦାଧିକାର ସମେତ ଗାଁ ଲୋକ ମଧ୍ୟ ସାମିଲ ଥିଲେ।

ଏହି ମାମଲାରେ ଚୋଲାପୁର ଥାନା ଅଧିକାରୀ ଅଶୋକ କୁମାର ଯାଦବ କହିଛନ୍ତି ଯେ ରାମଲୀଲା ପ୍ରତ୍ୟେକ ବର୍ଷ ଯେଉଁ ସ୍ଥାନରେ ହୁଏ ଏଥର ମଧ୍ୟ ସେହି ସ୍ଥାନରେ ଆୟୋଜିତ ହେବ। କୌଣସି ପ୍ରକାରେ ମଧ୍ୟ ରାମଲୀଲା ଆୟୋଜନରେ ବାଧାବିଘ୍ନ ହେବାକୁ ଦିଆଯିବ ନାହିଁ। ଜମିର ମାପ ଶାନ୍ତିର ସହିତ କରାଯିବ। ଥାନା ଅଧିକାରୀଙ୍କ ଆଶ୍ଵାସନା ପରେ ଧାରଣା ସମାପ୍ତ ହୋଇଥିଲା।

By amfnews

Related Post