Sat. Jun 20th, 2026

ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍‌କୁ ସମର୍ଥନ କରିବ ବିଜେଡି

200 Views

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଆଗତ ହେବ ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲ୍। ଲୋକସଭାରେ ପାସ୍ ହେବା ପରେ ଆଜି ସଂସଦର ଉଚ୍ଚ ସଦନରେ ଏହାକୁ ଗୃହୀତ କରାଇବାକୁ ଚେଷ୍ଟା କରାଇବେ କେନ୍ଦ୍ର ସରକାର। ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି।

ସେପଟେ ବିଲ୍‌କୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ପାସ୍ ହୋଇସାରିଥିବା ଏହି ବିଲ୍‌କୁ ରାଜ୍ୟ ସଭାରେ ପାସ୍ କରିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଡିୟୁ ଆଜି ଭୋଟିଂରେ ସାମିଲ ହେବନି।

ଏଆଇଏଡିଏମକେ ଓ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ମଧ୍ୟ ଭୋଟିଂରୁ ଦୂରେଇ ରହିବ ବୋଲି ଘୋଷଣା କରିଛି। ରାଜ୍ୟସଭାରେ ଏହି ବିଲ୍‌କୁ ପାରିତ କରିବା ପାଇଁ ୧୨୧ଟି ଭୋଟର ‌ଆବଶ୍ୟକତା ରହିଛି।

ତେବେ ରାଜ୍ୟସଭାରେ YSR କଂଗ୍ରେସର ୨, ଜେଡିୟୁର ୬ ଓ ଏଆଇଏଡିଏମକେର ୧୩ ଜଣ ସାଂସଦ ଅଛନ୍ତି। ଯେଉଁମାନେ ଭୋଟିଂରେ ଭାଗ ନେବେ ନାହିଁ। ବହୁମତ ନଥାଇ ବି ଆରଟିଆଇ ବିଲ୍‌କୁ ରାଜ୍ୟସଭାରେ ପାସ୍ କରିବାରେ ସକ୍ଷମ ହୋଇଥିବା ଏନଡିଏ ସରକାର ଟ୍ରିପଲ ତଲାକ୍ ବିଲ୍‌କୁ ମଧ୍ୟ ପାସ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।

By amfnews

Related Post