Sat. Jul 4th, 2026

ରାଜ୍ୟରେ ଜଳକର ବାବଦକୁ ବାକି ପଡ଼ିଛି ୨୪୬୧ କୋଟି ଟଙ୍କା

320 Views

ଭୁବନେଶ୍ବର : ରାଜ୍ୟରେ ୨୧ ଶିଳ୍ପ ସଂସ୍ଥା ଉପରେ ୨୪୬୧.୫୭ କୋଟି ଟଙ୍କାର ଜଳକର ବାକି ପଡ଼ିଛି। କୋର୍ଟରେ ମାମଲା ଗଡ଼ୁଥିବାରୁ କର ଆଦାୟ ହୋଇପାରୁନି। ଗୋଟିଏ ସରକାରୀ ସଂସ୍ଥା ଦକ୍ଷିଣ-ପୂର୍ବ ରେଳବାଇ ଉପରେ ମଧ୍ୟ ୩୧୦ କୋଟି ଟଙ୍କା ଜଳକର ବାକି ପଡ଼ିଛି। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ଜଳକୁ ଫ୍ଲୋ ମିଟର୍‌ ଦ୍ବାରା ହିସାବ କରାଯାଇ ଜଳକର ଅସୁଲ କରାଯାଇଥାଏ। ଯେଉଁଠି ଫ୍ଲୋ ମିଟର ଖରାପ ଥାଏ କିମ୍ବା ଲାଗି ନ ଥାଏ, ସେଠାରେ ବିଭାଗ ସହିତ କରିଥିବା ଚୁକ୍ତିପତ୍ର ଅନୁସାରେ ସମ୍ପୂର୍ଣ୍ଣ ପରିମାଣ ଉପରେ ଜଳକର ଅସୁଲ କରାଯାଏ। ୨୦୧୮-୧୯ ଆର୍ଥିକ ବର୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ଠାରୁ ଜଳକର ବାବଦରେ ୫୮୭.୯୬ କୋଟି ଟଙ୍କା ଆଦାୟ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ୩୬୧.୪୯ କୋଟି ଟଙ୍କାର ଜଳକର ଆଦାୟ କରାଯାଇଛି। ବର୍ତ୍ତମାନ ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ପ୍ରାୟ ୧୧୦୫.୮୬ କ୍ୟୁସେକ୍‌ ଜଳ ବ୍ୟବହାର କରୁଛନ୍ତି।

By amfnews

Related Post