Sun. Apr 26th, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ମାଟି ତଳୁ କଢ଼ା ହେଲା ଶବ

198 Views

ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍‌ ରାମଚନ୍ଦ୍ରପୁର ଥାନା ଅତା ଗ୍ରାମର ବାବାଜୀ ନାଥଙ୍କ ପୁଅ ଅଭିମନ୍ୟୁ ନାଥ (୪୨)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ, ଗତକାଲି ଅପରାହ୍‌ଣ ପ୍ରାୟ ୩ଟା ବେଳେ ଅଭିମନ୍ୟୁ ରକ୍ତ ବାନ୍ତି କରିବା ସହ ଘର ଆଗରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗାଁ ଶ୍ମଶାନରେ ପୋତି ଦେଇଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ପୁଲିସ ଫୋର୍ସ ସହ ଗ୍ରାମରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ଅନ୍ୟପକ୍ଷରେ ରାତି ତମାମ ପୁଲିସ ଶ୍ମଶାନରେ ଜଗି ରହିଥିଲା। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ତଳୁ ଶବ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିମନ୍ୟୁଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି। ତେବେ ଅଭିମନ୍ୟୁ ଅଚାନକ ରକ୍ତ ବାନ୍ତି କରି ତଳେ ପଡ଼ିଯିବା ପରେ ପରିବାର ଲୋକେ କାହିଁକି ତାଙ୍କୁ ଡାକ୍ତରଖାନା ନେଲେ ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

By amfnews

Related Post