Sun. Apr 26th, 2026

ମୋ ସରକାର ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ: ନବୀନ

218 Views

ଭୁବନେଶ୍ୱର, ଜାନୁଆରୀ ୧୧ : ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ‘ମାଇଣ୍ଡ ରକ୍‌ସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି କି ତାଙ୍କ ସରକାର ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ । ଯେଉଁଥିପାଇଁ ଲୋକମାନଙ୍କର ସରକାର ଉପରେ ଭରସା ଓ ବିଶ୍ୱାସ ରହିଛି। ଏଥିସହ ଆସନ୍ତା ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖିବା ସହ ବିରୋଧୀଙ୍କ ମହାମେଣ୍ଟଠାରୁ ଦୂରରେ ରହିବ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି।

ଇଣ୍ଡିଆ ଟୁଡେର ପରିଚାଳନା ସଂପାଦକ ରାଜ୍‌ ଚେଙ୍ଗପ୍ପାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ନିର୍ବାଚିତ କରିବାର କାରଣ ହେଉଛି ତାଙ୍କ ସରକାର ନିରବଚ୍ଛିନ୍ନ ଭାବେ ବିକାଶମୂଳକ କାର୍ଯ୍ୟ କରିବା ସହ ଲୋକଙ୍କ ଲାଗି କଲ୍ୟାଣମୂଳକ ଯୋଜନା ଜାରି ରଖିଛି। ଏହା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମହାତ୍ମା ଗାନ୍ଧୀ ତାଙ୍କ ଲାଗି ସବୁ ସମୟରେ ପ୍ରେରଣାର ଉତ୍ସ ହୋଇ ରହି ଆସିଛନ୍ତି। ଏଥି ସହ ଯୁବପିଢିକୁ ପରାମର୍ଶ ଦେଇ କହିଥିଲେ ,ଯାହା କରିବାକୁ ତୁମେ ଚାହୁଁଛ ତାହାକୁ ଗୁରୁତ୍ୱର ସହ ନିଅ ଏବଂ ବାପା-ମା,ପରିବାର ଓ ଦେଶ ପ୍ରତି ତୁମର କର୍ତ୍ତବ୍ୟକୁ କେବେ ହେଲେ ଭୁଲ ନାହିଁ।

By amfnews

Related Post