Thu. Jun 11th, 2026

ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ

189 Views

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧୀନ ସମସରପୁର ପଞ୍ଚାୟତ ସିଂହସାହିରେ ମେଢ଼ ଭସାଣି ବେଳେ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଗଣ୍ଡଗୋଳରେ ଦୁଇ ଜଣ ହୋମ୍‌ଗାର୍ଡ ଓ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ଜୟପୁର ଫାଣ୍ଡି ଅଧୀନ ସିଂହସାହିର ମେଢ଼ ଯଶରାଜପୁର ଘାଟକୁ ବିସର୍ଜନ ପାଇଁ ଯାଉଥିଲା। ବାଟରେ ଟାଙ୍ଗୀ ଥାନା ଅନ୍ତର୍ଗତ କରୁଆଳ ଗ୍ରାମର କିଛି ଯୁବକ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହେବା ସହ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା। ସେଠାରେ ଉପସ୍ଥିତ ଜୟପୁର ଫାଣ୍ଡିର ଦୁଇଜଣ ହୋମଗାର୍ଡ ସମୀର ପ୍ରଧାନ ଓ ପ୍ରଭାତ ଲେଙ୍କା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ହୋମ୍‌ଗାର୍ଡ ସମୀର, ପ୍ରଭାତଙ୍କ ସହ ସମସରପୁର ଗ୍ରାମର ରଶ୍ମିରଞ୍ଜନ ମଳିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

By amfnews

Related Post